Categories: Home Leftଖେଳ

ଟି୨୦ ବିଶ୍ୱକପ୍‌: ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ଓ୍ବେଷ୍ଟଇଣ୍ଡିଜ୍‌- ଶ୍ରୀଲଙ୍କା

ବ୍ରିସବେନ୍‌,୧୪ା୧୦: ଓ୍ବେଷ୍ଟଇଣ୍ଡିଜ୍‌ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍‌ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି। ହେଲେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବାରୁ ଚଳିତ ବିଶ୍ୱକପ ପୂର୍ବରୁ ଉଭୟ ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ବିଶ୍ୱକପର ପ୍ରଥମ ରାଉଣ୍ଡ ମୁକାବିଲା ଚଳିତ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟ ରାଉଣ୍ଡ(ସୁପର-୧୨)ରେ ସାମିଲ ହେବା ପାଇଁ ଏହି ଦୁଇ ଦଳ ଫେଭରିଟ୍‌ ରହିଛନ୍ତି।

ଏସିଆ କପ ବିଜୟୀ ହୋଇ ଫେରିଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ ନାମ୍ବିଆ ବିପକ୍ଷରେ ଖେଳିବ। ଅନ୍ୟପକ୍ଷେ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେବେ ନିକୋଲାସ୍‌ ପୁରନ୍‌। ବ୍ରିସବେନର ହୋବାର୍ଟରେ ଦଳ ସ୍କଟଲାଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଦଳ ବର୍ତ୍ତମାନ ଭଲ ସ୍ଥିତିରେ ରହିଛି। ଅନ୍ୟ ପକ୍ଷରେ କ୍ୱିନ୍ସଲାଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ଦଳ ପରାଜିତ ହୋଇଛି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଗ୍ରୁପ୍‌ ଏ’ରେ ଶ୍ରୀଲଙ୍କା ସହିତ ନେଦରଲାଣ୍ଡସ, ୟୁଏଇ ଓ ନାମ୍ବିଆ ରହିଛନ୍ତି। ଅପର ପକ୍ଷରେ ଗ୍ରୁପ୍‌ ବି’ରେ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ଜିମ୍ବାଓ୍ବେ ସହିତ ସ୍ଥାନ ପାଇଛି ଓ୍ବେଷ୍ଟଇଣ୍ଡିଜ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ୨୨ ତାରିଖରେ ଖେଳାଯିବ।