AUCKLAND, NEW ZEALAND - APRIL 01: New Zealand win the series during game three of the International T20 series between New Zealand and Bangladesh at Eden Park on April 01, 2021 in Auckland, New Zealand. (Photo by Fiona Goodall/Getty Images)
ଅକଲାଣ୍ଡ,୨।୪(ଏପି): ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୬୫ ରନରେ ବିଜୟୀ ହୋଇଛି। ୩ଟି ଯାକ ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ସିରିଜ କ୍ଲିନ୍ସୁଇପ୍ କରିଛି। ବର୍ଷା ଯୋଗୁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ପାଖାପାଖି ୨ ଘଣ୍ଟା ଖେଳ ବାଧାପ୍ରାପ୍ତ ହୋଇଥିଲା। ତେଣୁ ମ୍ୟାଚ୍କୁ ୧୦ ଓଭରରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟସ୍ ଜିତି ବାଂଲାଦେଶ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୦ ଓଭରରେ ୪ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୯.୩ ଓଭରରେ ମାତ୍ର ୭୬ ରନକରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ୨୯ ବଲରୁ ୧୦ ଚୌକା ଓ ୩ ଛକା ସହ ୭୧ ରନ ସଂଗ୍ରହ କରିଥିବା ନ୍ୟୁଜିଲାଣ୍ଡ ଓପନର ଫିନ୍ ଆଲେନ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିପରି ସାରା ସିରିଜରେ ସ୍ଥିର ପ୍ରଦର୍ଶନ କରିଥିବା ଗ୍ଲେନ୍ ଫିଲିପ୍ସ ପ୍ଲେୟର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି।
୧୪୨ ରନ ଟାର୍ଗେଟର ପିଛା କରି ବାଂଲାଦେଶ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଯାଇ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା। ଓପନର ମହମ୍ମଦ ନଇମ ୧୯, ସୌମ୍ୟ ସରକାର ୧୦ ଓ ମୋସାଡେକ ହୋସେନ ୧୩ ରନକରି ଆଉଟ ହୋଇଥିତ୍ବା ବେଳେ ବାକି ୮ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ନ୍ୟୁଜିଲାଣ୍ଡ ଲେଗ୍ ସ୍ପିନର ଟୋଡ ଆସେଲ ମାତ୍ର ୧୩ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଟିମ୍ ସୌଦି ୩, ଆଡାମ ମିଲନେ, ଲୋକି ଫର୍ଗୁସନ ଓ ଗ୍ଲେନ୍ ଫିଲିପ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଆଲେନ ସର୍ବାଧିକ ୭୧, ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୪୪, ଗ୍ଲେନ୍ ଫିଲିପ ୧୪, ଡାରିଲ ମିଚେଲ ୧୧ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ତାସ୍କିନ ଅହମ୍ମଦ, ଶୋରିଫୁଲ ଇସ୍ଲାମ ଓ ମାହେଦି ହାସନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୧୦ ଓଭରରେ ୧୪୧/୪
(ଫିନ୍ ଆଲେନ- ୭୧, ଗୁପ୍ଟିଲ-୪୪, ତାସ୍କିନ- ୧/ ୨୪, ଶୋରିଫୁଲ- ୧/୨୧, ମାହେଦି- ୧/ ୩୪)।
ବାଂଲାଦେଶ ୯.୩ ଓଭରରେ ୭୬ ଅଲଆଉଟ୍
(ନଇମ- ୧୯, ସୌମ୍ୟ-୧୦, ମୋସାଡେକ- ୧୩, ଟୋଡ ଆସଲେ- ୪/୧୩, ସୌଦି- ୩/୧୫)।