Categories: ଖେଳ

ପୁଣି ଖେଳାଯିବ ଟି୨୦ ମୁମ୍ବାଇ ଲିଗ୍‌: ରୋହିତ ହେବେ ବ୍ରାଣ୍ଡ ଆମ୍ବାସାଡର

ମୁମ୍ବାଇ, ୧୮ା୪: ଭାରତର ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ଅଧିନାୟକ ରୋହିତ ଶର୍ମା ଟି୨୦ ମୁମ୍ବାଇ ଲିଗ୍‌ରେ ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। କୋଭିଡ୍‌ ମହାମାରୀ ପୂର୍ବରୁ ଏହି ଲିଗ୍‌ ୨୦୧୮ ଓ ୨୦୧୯ରେ ଦୁଇଥର ଖେଳାଯାଇଛି। ରୋହିତ ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ୍‌ରେ ଖେଳୁଛନ୍ତି।

ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାନେ, ଶିବମ ଦୁବେ, ତୁଷାର ଦେଶପାଣ୍ଡେ ପ୍ରମୁଖ ମୁମ୍ବାଇର କେତେଜଣ ଲୋକପ୍ରିୟ ଖେଳାଳି ରହିଛନ୍ତି। ଟେଷ୍ଟ ଓପନ ଯଶସ୍ବୀ ଜୟସ୍ବାଲ କିଛିଦିନ ତଳେ ଗୋଆରେ ଯୋଗଦେଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ଆଇପିଏଲ୍‌ ସହିତ ସମ୍ପୃକ୍ତ। ଆଇପିଏଲ୍‌ ଶେଷ ନ ହେବା ପର୍ଯ୍ୟନ୍ତ ଇଭେଣ୍ଟ ଆରମ୍ଭ ନ କରିବା ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ସ୍ଥିର କରିଛି। ଏହି ଖେଳାଳିମାନେ ଟି୨୦ ମୁମ୍ବାଇ ଲିଗ୍‌ରେ ଖେଳିବେ ବୋଲି ଆଶା କରାଯାଉଛି। ମାତ୍ର ସେମାନଙ୍କୁ ବାଧ୍ୟ କରାଯିବ ନାହିଁ। ଇଭେଣ୍ଟରେ ଅଂଶଗ୍ରହଣ ଦ୍ୱାରା କେବଳ ମୁମ୍ବାଇ କ୍ରିକେଟର ବିକାଶ ଘଟିବ ନାହିଁ ବରଂ ଖେଳାଳି ଓ ଲିଗ୍‌ ଉପକୃତ ହେବେ ବୋଲି ଏମ୍‌ସିଏର ଜଣେ ଅଫିସିଆଲ କହିଛନ୍ତି। ଶୁକ୍ରବାର ଇଭେଣ୍ଟ ସମ୍ପର୍କରେ ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ରୋହିତ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

ଖବର ଅନୁସାରେ ପ୍ରତିଯୋଗିତାରେ ଏମ୍‌ସିଏ ଆଇକନ ଖେଳାଳିମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ଦେବ। ଇଭେଣ୍ଟରେ ଅଂଶ ଗ୍ରହଣ କରିବା ଲାଗି ୨,୮୦୦ରୁ ଅଧିକ ଖେଳାଳି ଆଗ୍ରହ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେବେ। ଦୁଇଟି ନୂଆ ଦଳ ନାମ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଅନ୍ୟ ୬ଟି ଦଳ ହେଲେ ନର୍ଥ ମୁମ୍ବାଇ ପାନ୍ଥର୍ସ, ଏଆର୍‌ସିଏସ୍‌ ଅନ୍ଧେରୀ, ଟ୍ରିମ୍ଫ ନାଇଟ୍ସ, ମୁମ୍ବାଇ ନର୍ଥ ଇଷ୍ଟ, ନମୋ ବାନ୍ଦ୍ରା ବ୍ଲାଷ୍ଟର୍ସ, ଇଗଲ ଥାନେ ଷ୍ଟ୍ରାଇକର୍ସ ଓ ଆକାଶ ଟାଇଗର୍ସ, ମୁମ୍ବାଇ ଓ୍ବେଷ୍ଟର୍ନ ସବଅର୍ବସ।

Share