ସନ୍ଦେହ ଜନକ ସ୍ଥିତି, ଉରି ସେକ୍ଟରରେ ସର୍ଚ୍ଚ ଅପରେଶନ୍‌ ଜାରି…

ଶ୍ରୀନଗର,୨୦।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ସନ୍ଦେହ ଜନକ ସ୍ଥିତି ସୃଷ୍ଟି ହୋଇଛି। ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ ହେଉଥିବାର ଅନୁମାନ ଭାରତୀୟ ସେନା ପକ୍ଷରୁ କରାଯିବା ପରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଛି। ଉତ୍ତର କଶ୍ମୀରର ଉରି ସେକ୍ଟରରେ ଏଭଳି ସ୍ଥିତି ଦେଖାଦେଇଥିବା ପ୍ରତିରକ୍ଷା ପ୍ରବକ୍ତା କଲୋନେଲ ଇମରୋନ୍‌ ମାସ୍‌ଭି ସୂଚନା ଦେଇଛନ୍ତି। ରବିବାର ବିଳମ୍ବିତ ରାତିରେ ପାକ୍‌ ଅଧିକୃତ କଶ୍ମୀରଠାରୁ ଉରି ସେକ୍ଟର ପର୍ଯ୍ୟନ୍ତ ଅସ୍ବାଭାବିକ ସ୍ଥିତି ଉତ୍ପନ୍ନ ହୋଇଥିଲା।

ଏହି ପ୍ରାୟ ସେପ୍ଟେମ୍ବର-ଅକ୍ଟୋବରରେ ଏହି ବାଟେ ଅନୁପ୍ରବେଶ ହେବାର ଅଧିକ ଆଶଙ୍କା ରହିଥାଏ। ତେଣୁ ସେନା ସଜାଗ ରହିଥାନ୍ତି ବୋଲି ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି। ଥଣ୍ଡା ଏବଂ ବରଫ ପାତର ସୁଯୋଗ ନେଇ ଆତଙ୍କବାଦୀମାନେ ବର୍ଷର ଏହି ସମୟରେ ଅନୁପ୍ରବେଶ କରିଥାନ୍ତି। ଉତ୍ତର କଶ୍ମୀରର ଉରି, ନୋଓ୍ବଗାମ୍‌, ତଙ୍ଗଧାର, କେରାନ୍‌, ମାଛିଲ, ଗୁରେଜ୍‌ ଆଦି ସେକ୍ଟରରେ ଅନୁପ୍ରବେଶର ଆଶଙ୍କା ଅଧିକ ରହିଥାଏ।

ଭାରତୀୟ ସେନାର ୧୯ ଏବଂ ୨୭ ଇନଫାଣ୍ଟ୍ରି ଡିଭିଜନ ନିୟନ୍ତ୍ରଣ ରେଖାର ଉରିଠାରୁ ଗୁରେଜ ସେକ୍ଟର ପର୍ଯ୍ୟନ୍ତ ଅଞ୍ଚଳ ଉପରେ ତୀକ୍ଷ୍‌ଣ ନଜର ରଖିଥାନ୍ତି।