ସୁନାବେଡ଼ା, ୨୫।୨(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅଧୀନ ଭେଜାପୁଟ ସତ୍ସଂଘ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପଟ୍ଟାଙ୍ଗି ଥାନା ଅଧୀନ ଝାଙ୍କର ଗୁଡ଼ାର ମାଧବ ବଡ଼ଗୁ(୩୭)। ସୂଚନାନୁଯାୟୀ, ମାଧବ ସତ୍ସଂଘରେ ସ୍ତ୍ରୀ ଓ ଛୁଆ ସହ ମିଶି ଦୀର୍ଘ ୧୫ ବର୍ଷ ହେବ ରହି ଆସୁଥିଲେ। ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି। ମଙ୍ଗଳବାର ମାଧବଙ୍କୁ କୌଣସି କାରଣରୁ ପରିବାର ଲୋକେ ମାତାଲପୁଟସ୍ଥିତ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାଧବଙ୍କ ବଡ଼ ଭାଇ ନାଥ ବଡ଼ଗୁ ସୁନାବେଡା ଥାନାରେ ତାଙ୍କ ଭାଇଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ଲିଖିତ ଅଭିଯୋଗ କରିଥିଲେ। ସୁନାବେଡା ଥାନାଧିକାରୀ ସୁଷୁମା କୁହଁର,ଏସ୍ଆଇ ନିର୍ମଳା ଲିମା ମୃତଦେହ ଜବତ କରିଛନ୍ତି। ଏ ନେଇ ନଂ ୩୫/୨୬ରେ ହତ୍ୟା ମାମଲା ରୁଜୁ ହୋଇଛି। ମୃତଦେହ କୋରପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁୁ ହସ୍ତାନ୍ତର କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି।