ମହାରାଷ୍ଟ୍ରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଲାଠୋର,୫ା୪(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସୁନାମୁଦି ଗ୍ରାମର ସୁଶାନ୍ତ ବାଗ(୧୯) ମହାରାଷ୍ଟ୍ରକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଆମତ୍ହତ୍ୟା କରିଛନ୍ତି ବୋଲି ଶନିବାର ସକାଳେ ପରିବାର ବର୍ଗ ଜାଣିବାକୁ ପାଇଥିଲେ। ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ବୋଲି ମୃତକଙ୍କ କାକା ପାଣ୍ଡେ ବାଗ କହିଛନ୍ତି। ମୃତଦେହ ସୁନାମୁଦରେ ଆଣି ପହଞ୍ଚାଇବାକୁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ସେ ନିବେଦନ କରିଛନ୍ତି।

୨ ମାସରୁ ଊର୍ଦ୍ଧ୍ୱ ହେବ ସୁନାମୁଦି ଗ୍ରାମର ତ୍ରିଲୋଚନ ବାଗଙ୍କ ପୁଅ ସୁଶାନ୍ତ ସମ୍ପର୍କୀୟ ମାମୁଁ ଅଭିନାଶ ଛୁରାଙ୍କ ସହ ମହାରାଷ୍ଟ୍ର ରାଜ୍ୟ ଅମରାବତି ଜିଲା ନନ୍ଦଗାଁପେଠସ୍ଥିତ ମାହିଟେରି କୋଟ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ଶୁକ୍ରବାର ରାତିରେ ମାମୁଁ ଭଣଜା କମ୍ପାନି ଗେଟ ବାହାରେ ଥିବା ଏକ ଟିଣଚାଦର ଘରେ ଶୋଇବାକୁ ଯାଇଥିଲେ। ଶନିବାର ସକାଳେ ସୁଶାନ୍ତଙ୍କ ମୃତଦେହ ଘର ଭିତରେ ଏକ ଲୁହା ପାଇପରେ ଝୁଲୁଥିବା ମାମଁୁ ଅଭିନାଶ ଦେଖିବାକୁ ପାଇଥିଲେ। ଏ ନେଇ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅମରାବତି ଏର୍ବିନ ହସ୍ପିଟାଲ ନେଇଥିବା ମୃତକଙ୍କ ମାମଁୁ ସୂଚନା ଦେଇଛନ୍ତି। ସେଠାକାର ପୋଲିସ ମହାରାଷ୍ଟ୍ର ଆସି ମୃତଦେହ ନେଇ ଯିବାକୁ ମୃତକଙ୍କ ପରିବାର ବର୍ଗଙ୍କୁ କୁହାଯାଇଛି। ସୁଶାନ୍ତଙ୍କ ବାପା ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ମା’ ଜଣେ ମାନସିକ ରୋଗୀ। ଘରେ ଜଣେ ହୃଦରୋଗୀ ଭଉଣୀଙ୍କ ସହ ଅନ୍ୟ ଦୁଇ ଛୋଟ ଭଉଣୀ ରହୁଛନ୍ତି। ଏପରି ସ୍ଥିତିରେ ସେମାନେ କେମିତି ମହାରାଷ୍ଟ୍ର ଯାଇ ମୃତଦେହ ଆଣିବେ ଚିନ୍ତାରେ ପଡିଛନ୍ତି। ଘଟଣାକୁ ନେଇ ଶିକ୍ଷକ ଗଜମଣୀ ବାଗ ଏକ୍ସ ଯୋଗେ ସିଏମ୍‌ଓ ଓଡ଼ିଶା, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସିଏମ୍‌ଓ ମହାରାଷ୍ଟ୍ର, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି ଏବଂ ବଲାଙ୍ଗୀର ଜିଲାପାଳଙ୍କୁ ଅବଗତ କରିଛନ୍ତି।