ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳର ଏକ ଘରୋଇ ପଥରଖଣିରେ କାମ କରୁଥିବା ଜଣେ ଓଡିଆ ଶ୍ରମିକ କୈବଲ୍ୟ ନାୟକଙ୍କ ଗତ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପରିବାରଲୋକେ ତାଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ସନ୍ଦେହ କରୁଛନ୍ତି। ଏଭଳି ସ୍ଥିତିରେ ବୁଧବାର ତାଙ୍କ ମରଶରୀର ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ ପୈତୃକ ଗ୍ରାମ ଦଶିପୁର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିବା ସହ ଦୀର୍ଘ ସମୟ ଧରି ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକ ରଖି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, କୈବଲ୍ୟ ପରିବାର ପ୍ରତିପୋଷଣ ଲାଗି ୬ ମାସ ପୂର୍ବେ ଏହି ପଥରଖଣିରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ସୋମବାର ମଧ୍ୟାହ୍ନରେ ସେ ନିଜ ସ୍ତ୍ରୀଙ୍କ ସହ ମୋବାଇଲରେ କଥା ହୋଇଥିଲେ। ହେଲେ ଅପରାହ୍ନ ପ୍ରାୟ ୩ ଟାରେ କୈବଲ୍ୟଙ୍କ ମୃତଦେହ କମ୍ପାନୀ ନିକଟସ୍ଥ ରାସ୍ତାରେ ପଡ଼ିଥିବା ନେଇ ତାଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା । ଏନେଇ ପରିବାରଲୋକେ ଜାଣି ଦୁଃଖରେ ଭାଙ୍ଗି ପଡିଛନ୍ତି। ସେମାନେ ସାନଖେମୁଣ୍ଡି ବ୍ଳକ କଂସାମାରୀ ଗ୍ରାମର ଠିକାଦାର ଜିତୁ ଦୋରାଙ୍କ ସହ ଆଲୋଚନା ପରେ ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇଥିଲା । ତେବେ ତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିବା ସହ ଆମ୍ବୁଲାନ୍ସରୁ ମୃତଦେହ ନିଆଯାଇ ନ ଥିଲା । ଖବରପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଥାନା ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ଅର୍ଥରାଶି ଦିଆଯାଇଛି । ଶେଷରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମୃତଦେହର ଅନ୍ତିମ ସତ୍କାର କରାଯାଇଥିବା ଜଣାପଡିଛି ।