ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ ଆଣିବା ସହିତ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ଦାବି କରାଯାଇଛି।
ଅଭିଯୋଗ ପାଇବା ପରେ ଭାରପ୍ରାପ୍ତ ଜିଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ବୁରଗୋରା ଗ୍ରାମସ୍ଥିତ ମୃତକଙ୍କ ଘରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବୌଦ୍ଧ ବ୍ଲକ ଅଧୀନ ଟିକରପଡ଼ା ପଞ୍ଚାୟତ ବୁରଗୋରା ଗ୍ରାମର ଅରୁଣ ୨୦୨୫ ଜୁନ ମାସରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲା ଅଧୀନ ପେଟା ଗ୍ରାମର ଏକ ସୂତା କଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।
ଗତ ୨୯ ତାରିଖରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଅରୁଣ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ସ୍ତ୍ରୀ ଶାନ୍ତି ମହାନନ୍ଦିଆ, ଦୁଇ ପୁଅ, ଗୋଟିଏ ଝିଅ ଏବଂ ବିଧବା ବୃଦ୍ଧା ମା’ ନୟନା ରଣବିଡ଼ା ଅସହାୟ ହୋଇପଡିଛନ୍ତି।
ଅନ୍ୟପକ୍ଷେ ମୃତଦେହ ଗାଁକୁ ଆଣିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିକାଶ ପରିଷଦ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଦାବି କରିଛନ୍ତି।