ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବିଷକ୍ରିୟା ଯୋଗୁଁ ବାଘର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ କିଛି ଦିନ ହେଲା ଏହି ବାଘ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା ଏବଂ ଗତକାଲି ଏକ ବଳଦକୁ ଆକ୍ରମଣ କରି ମାରି ଦେଇଥିଲା। ବାଘ ଆକ୍ରମଣରେ ବଳଦର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ ମୃତ ବଳଦ ଶରୀରରେ ବିଷ ପ୍ରୟୋଗ କରିଥିଲେ। ଉକ୍ତ ବିଷାକ୍ତ ବଳଦକୁ ଖାଇବା ପରେ ବାଘର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ପୂର୍ବରୁ ଅଞ୍ଚଳବାସୀ ବାଘ ଆତଙ୍କ ନେଇ ବାରମ୍ବାର ବନ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ବିଭାଗ କେବଳ ଟ୍ରାପ୍ କ୍ୟାମେରା ଲଗାଯିବ କହି ଘଟଣାକୁ ଗୁରୁତ୍ଵ ଦେଇ ନଥିଲା।

ଶୁକ୍ରବାର ସକାଳୁ ଘଟଣାସ୍ଥଳରେ ରାଉରକେଲା ଆର୍.ସି.ସି.ଏଫଙ୍କ ସମେତ ଏକ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବଣାଇଁ ଡି.ଏଫ.ଓ. ଲଲିତ ପାତ୍ର କହିଛନ୍ତି ଯେ ତଦନ୍ତ ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ।