ଭିନ୍ନ ଚରିତ୍ରରେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ଦର୍ଶକେ ବଡ଼ ପରଦାରେ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ପାଇବେ। ଚଳଚ୍ଚିତ୍ରର ନାମ ରହିଛି ‘ତାଲି’। ତେବେ ଫିଲ୍ମକୁ ନେଇ ଏବେଠାରୁ ଇଣ୍ଡଷ୍ଟ୍ରିରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟ୍ରାନ୍ସଜେଣ୍ଡର ଶ୍ରୀ ଗୌରୀ ସାଓ୍ବନ୍ତଙ୍କ ଜୀବନକାହାଣୀ ଉପରେ ଫିଲ୍ମଟି ଆଧାରିତ। ଫିଲ୍ମ ତାଲିର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି, ଯେଉଁଥିରେ ସୁସ୍ମିତା ଲାଲ- ସବୁଜ ଶାଢ଼ି ପିନ୍ଧିଥିବାର ଦେଖାଯାଉଛି। ଏଥିସହ ତାଙ୍କ ମଥାରେ ଏକ ବଡ଼ ଖଇରିଆ ଟିକିଲି ରହିଥିବାର ମଧ୍ୟ ଦେଖାଯାଉଛି। ଗୌରୀ ମୁମ୍ବାଇରେ ଜଣେ ସାମାଜିକର୍ମୀ ଭାବେ ବେଶ୍‌ ପରିଚିତ। କୋନ୍‌ ବନେଗା କରୋଡ୍‌ ପତି ସିଜିନ୍‌ ୯ରେ ଗୌରୀ ଅଂଶଗ୍ରହଣ କରିଥିଲେ। ଗଣିକା ବୃତ୍ତି କରୁଥିବା ମହିଳାଙ୍କ ପାଇଁ ଘର ତିଆରି କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଚର୍ଚ୍ଚାକୁ ଆସିଥିଲେ।
ଫିଲ୍ମର ପୋଷ୍ଟର ସୁସ୍ମିତା ଟୁଇଟରରେ ଶେୟାର କରିବା ସହ ଏକ ଭିନ୍ନ ଧରଣ ଚରିତ୍ରରେ ଅଭିନୟ କରିଥିବା ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।