ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ l ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟିରେ ଜିଲା ପ୍ରଶାସନ ଓ ରାଜ୍ୟ ଭାଷା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେl କାନ୍ତକବିଙ୍କ ଜନ୍ମମାଟି ତିହିଡି଼ ବ୍ଲକ ତାଳପଦା ଗ୍ରାମରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରାଯାଇଛି ବୋଲି ସୂଚନା ଦେଇଥିଲେ । ଉକ୍ତ ସ୍ଥାନରେ ମ୍ୟୁଜିୟମ ନିର୍ମାଣ ସହ ଉନ୍ନୟନ କାର୍ଯ୍ୟ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୧୫ କୋଟି ଟଙ୍କା ମଂଜୁର ହୋଇଥିବା ସୂଚନା ଦେଇଥିଲେ l କାର୍ଯ୍ୟକ୍ରମରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଯୋଗ ଦେଇଥିବା ବେଳେ କାନ୍ତକବିଙ୍କ ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଜିଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।