ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ ନାମ ଯୋଡି ହୋଇଥିବା ବେଳେ ଏବେ ବିବାହିତ ସୂର୍ଯ୍ୟକୁମାରଙ୍କ ନାଁ’କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ବଲିଉଡ ଅଭିନେତ୍ରୀ ତଥା ରିଆଲିଟି ସୋ ‘MTV Splitsvilla’ର ପ୍ରତିଯୋଗୀ ଖୁସି ମୁଖାର୍ଜୀଙ୍କ ବୟାନ ସମସ୍ତଙ୍କୁ ଚମକାଇ ଦେଇଛି। ସୂର୍ଯ୍ୟକୁମାର ପୂର୍ବରୁ ତାଙ୍କୁ ବାରମ୍ବାର ମେସେଜ୍ କରୁଥିଲେ ବୋଲି ଖୁସି ଏକ ସାକ୍ଷାତକାରରେ କହିଛନ୍ତି।
ଏକ ଖବରଦାତା ସମ୍ମିଳନୀରେ ଖୁସିଙ୍କୁ କୌଣସି କ୍ରିକେଟରଙ୍କୁ ଡେଟ୍ କରିବା ପ୍ରଶ୍ନରେ ସେ କହିଥିଲେ ଯେ, “ମୁଁ କୌଣସି କ୍ରିକେଟରଙ୍କୁ ଡେଟ୍ କରିବାକୁ ଚାହେଁନାହିଁ। ମୋ ପଛରେ ଅନେକ କ୍ରିକେଟର ପଡ଼ିଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୋତେ ବହୁତ ମେସେଜ୍ କରୁଥିଲେ। କିନ୍ତୁ ଏବେ ଆମ ମଧ୍ୟରେ ସେମିତି କିଛି କଥାବାର୍ତ୍ତା ହେଉନାହିଁ। ମୁଁ ନିଜ ନାମ କାହା ସହ ଯୋଡ଼ିବାକୁ ପସନ୍ଦ କରେ ନାହିଁ।” ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛି। ତେବେ ଏହି ପ୍ରସଙ୍ଗରେ ସୂର୍ଯ୍ୟକୁମାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏହି ଚର୍ଚ୍ଚା ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଓ ତାଙ୍କ ପତ୍ନୀ ଦେବିଶା ଶେଟ୍ଟୀ ଆନ୍ଧ୍ରପ୍ରଦେଶର ତିରୁମାଲା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଦର୍ଶନ କରିଛନ୍ତି। ବୈକୁଣ୍ଠ ଏକାଦଶୀ ଅବସରରେ ଉଭୟ ପ୍ରଭୁ ଭେଙ୍କଟେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପାରମ୍ପରିକ ପୋଷାକରେ ସେମାନେ ମନ୍ଦିର ପରିସରରେ ଶ୍ରଦ୍ଧା ଓ ନମ୍ରତାର ସହ ରୀତିନୀତି ସମ୍ପନ୍ନ କରିଥିଲେ। ଟିଟିଡି (TTD) ଅଧିକାରୀମାନେ ସେମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସେମାନଙ୍କୁ ତୀର୍ଥ ପ୍ରସାଦ ଓ ଶେଷବସ୍ତ୍ର ପ୍ରଦାନ କରିଥିଲେ।