ମୁମ୍ବାଇ,୨୧।୧୧: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଗାମୀ ୨୦୨୫-୨୬ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ରେ ମୁମ୍ବାଇ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ର ବରିଷ୍ଠ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିବ।
ସୂର୍ଯ୍ୟକୁମାର ଯାଦବ ଆଗାମୀ ଘରୋଇ ଟି-୨୦ ଲିଗ୍ ମ୍ୟାଚ୍ ଖେଳିବା ପାଇଁ ତାଙ୍କର ଉପଲବ୍ଧତା ପ୍ରକାଶ କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସେ ହ୍ୱାଇଟ ବଲ୍ କ୍ରିକେଟ୍ ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି।
ମୁମ୍ବାଇର SMAT ଲିଗ୍ ମ୍ୟାଚ୍ ଗୁଡ଼ିକ ନଭେମ୍ବର ୨୬ରୁ ଲକ୍ଷ୍ନୌରେ ଆରମ୍ଭ ହେବ। ମୁମ୍ବାଇ ଏହି ଟ୍ରଫିରେ ରେଳବାଇ, ବିଦର୍ଭ, ଆନ୍ଧ୍ର, ଆସାମ, କେରଳ, ଛତିଶଗଡ଼, ଏବଂ ଓଡ଼ିଶା ସହିତ ମୁକାବିଲା କରିବ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବ ଡିସେମ୍ବର ୬ ଏବଂ ୮ ତାରିଖରେ ହେବାକୁ ଥିବା ଶେଷ ଦୁଇଟି ଲିଗ୍ ମ୍ୟାଚ୍ ଖେଳି ଡିସେମ୍ବର ୯ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେବାର ସମ୍ଭାବନା ରହିଛି।
ପୂର୍ବରୁ ଶ୍ରେୟସ ଆୟର ହ୍ୱାଇଟ ବଲ୍ କ୍ରିକେଟ୍ରେ ମୁମ୍ବାଇର ନେତୃତ୍ୱ ନେବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଆୟର ଆହତ ଥିବାରୁ ଏବଂ ସୂର୍ଯ୍ୟକୁମାର ଉପଲବ୍ଧ ଥିବାରୁ MCA ତାଙ୍କୁ ଦଳର ନେତୃତ୍ୱ ନେବାକୁ ନିଷ୍ପତ୍ତି ନେଇଛି। ଶାର୍ଦ୍ଦୁଲ ଠାକୁର ପୂର୍ବରୁ ରଣଜୀ ଟ୍ରଫି ଅଧିନାୟକ ଭାବେ ଚୟନ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ପୂର୍ବରୁ ମଧ୍ୟ ପୁଡୁଚେରୀ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରୁ ଦୂରେଇ ରହିବାକୁ MCA କୁ ଜଣାଇଥିଲେ। ସେହିପରି, ଶିବମ ଦୁବେ ମଧ୍ୟ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ପ୍ରସ୍ତୁତି କରିବାକୁ ଆଗାମୀ ରଣଜୀ ମ୍ୟାଚରୁ ଓହରି ଯିବା ପାଇଁ MCA ଠାରୁ ଅନୁମତି ପାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଶେଷ ଥର ପାଇଁ ଚଳିତ ବର୍ଷ ଆରମ୍ଭରେ ରଣଜୀ ଟ୍ରଫି ସେମିଫାଇନାଲରେ ବିଦର୍ଭ ବିପକ୍ଷରେ ମୁମ୍ବାଇ ପାଇଁ ଖେଳିଥିଲେ।