ଦୁବାଇ,୨୬।୯: ଏସିଆ କପ୍ରେ ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଅଭିଯୋଗ କରିଥିଲା। ଆଇସିସି ସୂର୍ଯ୍ୟକୁମାରଙ୍କୁ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କ ମ୍ୟାଚ ଫି’ର ୩୦ ପ୍ରତିଶତ ଜରିମାନା ଭାବେ କାଟିଛି। ମ୍ୟାଚ ରେଫରୀ ରିଚି ରିଚାର୍ଡସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବିଜୟ ପରେ ସୂର୍ଯ୍ୟକୁମାର କହିଥିଲେ ଯେ ଏହା ଏକ ଉତ୍ତମ ସୁଯୋଗ। ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକ ପରିବାରଙ୍କ ସହ ଅଛୁ। ଆମେ ସମସ୍ତେ ଏକ। ମୁଁ ଏହି ବିଜୟକୁ ଆମ ସେନା ଓ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ଅତ୍ୟନ୍ତ ସାହସିକତା ଦେଖାଇଛନ୍ତି। ଆଶା କରୁଛି, ସେମାନେ ଆମକୁ ପ୍ରେରଣା ଦେବେ ଏବଂ ଆମେ ମଇଦାନରେ ସେମାନଙ୍କୁ ହସିବାର ଅଧିକ କାରଣ ଦେବୁ।
ସୂର୍ଯ୍ୟକୁମାରଙ୍କୁ ଗୋଟିଏ ଟି-୨୦ ମ୍ୟାଚ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ। ୩୦ ପ୍ରତିଶତ ଜରିମାନା ହିସାବରେ ତାଙ୍କର ୯୦ ହଜାର ଟଙ୍କା କଟାଯିବ। ତେବେ କେବଳ ସୂର୍ଯ୍ୟକୁମାର ନୁହନ୍ତି, ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫଙ୍କୁ ମଧ୍ୟ ଆଇସିସି ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କ ମ୍ୟାଚ ଫି’ର ୩୦ ପ୍ରତିଶତ କାଟିଛି। ଏହା ସହ ପାକିସ୍ତାନୀ ଖେଳାଳି ସାହିବଜାଦା ଫରହାନଙ୍କୁ ମଧ୍ୟ ଦୋଷୀ ଘୋଷଣା କରାଯାଇଛି, ଯଦିଓ ତାଙ୍କ ଉପରେ କୌଣସି ଜରିମାନା ଲାଗୁ ହୋଇନାହିଁ। ହାରିସ ରଉଫ ମଇଦାନରେ ‘୬-୦’ ଏବଂ ବିମାନ ଖସାଇବାର ଇଙ୍ଗିତ କରିଥିଲେ। ସେହିପରି ସାହିବଜାଦା ଅର୍ଦ୍ଧଶତକ ପରେ ବ୍ୟାଟରୁ ଗୁଳି ଚଳାଇବା ଭଳି ଉତ୍ସବ ମନାଇଥିଲେ, ଯାହାକୁ ଆଇସିସି ଆଚରଣ ସଂହିତାର ଉଲ୍ଲଂଘନ ବୋଲି କହିଛି।
Dharitri No. 1 Most Trusted Odia Daily of Odisha