ପାକିସ୍ତାନ ନାଁ ଶୁଣି ଏମିତି କହିଦେଲେ ସୂର୍ଯ୍ୟକୁମାର: ଚାରିଆଡ଼େ ଖେଲିଗଲା…

ଆବୁଧାବି,୨୦।୯: ଭାରତ ଏସିଆ କପ ୨୦୨୫ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଓମାନ ବିପକ୍ଷରେ ଖେଳି ୨୧ ରନରେ ବିଜୟୀ ହୋଇଥିଲା। ଟିମ ଇଣ୍ଡିଆ ପାଇଁ ଏହି ବିଜୟ ସହଜ ମନେ ହେଉଥିଲେ ମଧ୍ୟ ଓମାନ ଯେଉଁଭଳି ଭାବରେ ଚ୍ୟାଲେଞ୍ଜ କରିଥିଲା, ତାହା ମ୍ୟାଚକୁ ଆକର୍ଷଣୀୟ କରିଥିଲା। ଭାରତୀୟ ଦଳ ସୁପର ଫୋର୍‌ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲା। ତେଣୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ତାଙ୍କର ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖନୀୟ ଯେ, ସୂର୍ଯ୍ୟ ନିଜେ ଏହି ମ୍ୟାଚରେ ବ୍ୟାଟିଂ କରି ନ ଥିଲେ। ତଥାପି, ବିଜୟ ପରେ ସେ ଦେଇଥିବା ଏକ ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସୁପର ଫୋର୍‌ରେ ପହଞ୍ଚିଥିବା ପ୍ରଥମ ଦଳ ହେବା ପରେ, ଯେତେବେଳେ ସୂର୍ଯ୍ୟଙ୍କୁ ପଚରାଯାଇଥିଲା, ସେ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ପ୍ରସ୍ତୁତ କି ନାହିଁ, ସେ ସିଧାସଳଖ ପାକିସ୍ତାନର ନାଁ ଏଡାଇ କହିଥିଲେ,ଆମେ ସୁପର ଫୋର୍‌ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତାଙ୍କ ଉତ୍ତର ପ୍ରଶଂସକ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ଅନେକ ଏହାକୁ ଏକ ରଣନୀତି ବୋଲି କହିଥିଲେ।

ମ୍ୟାଚ ପରେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓମାନର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ଓମାନ ଚମତ୍କାର କ୍ରିକେଟ ଖେଳିଛି। ମୁଁ ଜାଣିଥିଲି ଯେ, ସେମାନଙ୍କ କୋଚ ସୁଲକ୍ଷଣ କୁଲକର୍ଣ୍ଣିଙ୍କ ଅଧୀନରେ ସେମାନଙ୍କର ପ୍ରସ୍ତୁତି କଠୋର ହେବ। ସେମାନଙ୍କୁ ବ୍ୟାଟିଂ କରିବା ଦେଖିବା ବହୁତ ଭଲ ଥିଲା, ଏବଂ ମୁଁ ଏହାକୁ ସମ୍ପୂର୍ଣ୍ଣ ଉପଭୋଗ କରିଥିଲି।

ସୂର୍ଯ୍ୟ ତାଙ୍କ ଖେଳାଳିମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କ ପରି ବୋଲରଙ୍କ ପାଇଁ ଦୀର୍ଘ ସମୟ ଅପେକ୍ଷା ପରେ ହଠାକ କ୍ଷେତ୍ରକୁ ଆସିବା କଷ୍ଟକର ଥିଲା, ବିଶେଷକରି ଆବୁଧାବିର ଆର୍ଦ୍ର ପରିସ୍ଥିତିରେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ପ୍ରଶଂସା କରି କହିଥିଲେ, ଯଦିଓ ସେ ବ୍ୟାଟରେ ବହୁତ ଅବଦାନ ଦେଇ ନ ଥିଲେ, ତାଙ୍କର ଉପସ୍ଥିତି ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତ ଏବେ ସୁପର ୪ରେ ତିନୋଟି ପ୍ରମୁଖ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ୨୧ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ରହିଛି। ଏହାକୁ ଟୁର୍ନାମେଣ୍ଟର ସବୁଠାରୁ ହାଇ-ଭୋଲଟେଜ ମୁକାବିଲା ବୋଲି ବିବେଚନା କରାଯାଏ। ଏହା ପରେ ସେପ୍ଟେମ୍ବର ୨୪ରେ ବାଂଲାଦେଶ ଏବଂ ସେପ୍ଟେମ୍ବର ୨୬ରେ ଶ୍ରୀଲଙ୍କା ସହିତ ମୁକାବିଲା ହେବ। ଶ୍ରୀଲଙ୍କା ମଧ୍ୟ ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହିଛି, ତେଣୁ ଏହି ମ୍ୟାଚ ମଧ୍ୟ ବହୁତ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି।

Share