କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୧୦୧ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୫ ରନ୍ କରିଥିଲା। ୧୭୬ ରନ୍ର ଟାର୍ଗେଟ୍କୁ ପିଛାକରି ଦକ୍ଷିଣ ଆଫ୍ରିକା ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଦକ୍ଷିଣ ଆଫ୍ରିକା ପାଇଁ ସର୍ବନିମ୍ନ ସ୍କୋର। ବୋଲରଙ୍କ ଏଭଳି ଜବରଦସ୍ତ ପ୍ରଦର୍ଶନ ଯୋଗୁ ଏହି ଭେନ୍ୟୁରେ ୨୦୧୫ରେ ସମାନ ପ୍ରତିଦ୍ୱନ୍ଦ୍ୱୀ ଦଳଠାରୁ ମିଳିଥିବା ଶୋଚନୀୟ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଉକ୍ତ ମ୍ୟାଚ୍ରେ ଭାରତୀୟ ଦଳ ମାତ୍ର ୯୨ ରନ୍ରେ ଅଲଆଉଟ୍ ହୋଇଥିଲା।
ଏହି ବିଜୟ ପରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ‘ଲକି’ ବୋଲି କହି ପ୍ରଶଂସା କରିଛନ୍ତି। ମ୍ୟାଚ ବିଜୟ ପରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ମ୍ୟାଚ ଦେଖି ବହୁତ ଆନନ୍ଦିତ ଥିବା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମ୍ୟାଚ ବହୁତ ଉତ୍କଣ୍ଠା ଭରା ଥିଲା ଏବଂ ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି। ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରିଛି।ସେ ବାରବାଟୀରେ ଉନ୍ନତ ମାନର ମ୍ୟାଚ ପରିଚାଳନା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA), ପ୍ରଶାସନିକ ଟିମ, ପୁଲିସ ପ୍ରଶାସନ ସମେତ ସାମିଲ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଆଗକୁ ଷ୍ଟାଡିୟମ୍ରେ ଦର୍ଶକ ବସିବା କ୍ଷମତା ବଢ଼ାଯିବା ଦିଗରେ ସରକାର ଯତ୍ନବାନ ଅଛନ୍ତି। OCA ର ଏ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ଆସିଛି ଏବଂ ଏହାକୁ ସରକାର ଗୁରୁତ୍ବର ସହିତ ନେଇ ଆବଶ୍ୟକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ମ୍ୟାଚ ପରିଚାଳନାକୁ ଅଧିକ ଉନ୍ନତ କରିବା ପାଇଁ ସରକାର ତତ୍ପର ଅଛନ୍ତି।