ଦୁବାଇ,୨୭।୯: ଏସିଆ କପ ୨୦୨୫ ଫାଇନାଲ ପହଞ୍ଚିବା ମାତ୍ରେ, ଭାରତ ଏବଂ ପାକିସ୍ତାନୀ ଅଧିନାୟକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଫାଇନାଲକୁ ନେଇ ନିଜ ଦମ୍ ଦେଖାଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଏହି ମ୍ୟାଚ ସେପ୍ଟେମ୍ବର ୨୮ରେ ହେଉଛି। ଭାରତ ତାର ସମସ୍ତ ମ୍ୟାଚ ଜିତି ଫାଇନାଲ ପହଞ୍ଚିଛି। ପାକିସ୍ତାନ ସଂଘର୍ଷ କରି ସେଠାକୁ ଯାଇଛି। ତେଣୁ ୨ ଦେଶ ମଧ୍ୟରେ ଫାଇନାଲ ଜବରଦସ୍ତ ହେବ।
ସୁପର ଫୋର୍ରେ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ, ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷରେ ଫାଇନାଲ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଫାଇନାଲ ପହଞ୍ଚିବା ପରେ ଆମେ ଖୁସି, କିନ୍ତୁ ବର୍ତ୍ତମାନ ଆମେ ସେ ବିଷୟରେ ଚିନ୍ତା କରୁନାହୁଁ। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ନିର୍ଭିକ ଭାବରେ ଖେଳିବ। ଆମ ଦଳର ଖେଳାଳି ଜାଣନ୍ତି ଯେ, ସେମାନଙ୍କୁ କ’ଣ କରିବାକୁ ପଡିବ।
ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ, ପାକିସ୍ତାନ ଅଧିନାୟକ ସଲମାନ ଆଗା ମଧ୍ୟ ଏସିଆ କପ ଫାଇନାଲ ଉପରେ ନିଜର ମତ ପ୍ରକାଶ କରିଥିଲେ। ସେ କହିଥିଲେ, ସେ ଫାଇନାଲ ପାଇଁ ବହୁତ ଉତ୍ସାହିତ। ଆମକୁ କ’ଣ କରିବାକୁ ପଡିବ ତାହା ଜାଣିଛୁ। ଆମେ ଯେକୌଣସି ଦଳକୁ ପରାସ୍ତ କରିବାକୁ ସକ୍ଷମ। ଏବଂ ଆମେ ରବିବାର ତାହା କରିବାକୁ ଚେଷ୍ଟା କରିବୁ।