ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ ଅନ୍ୟପକ୍ଷର କ୍ଷମତା ନିକଟରେ ମୁଣ୍ଡ ନୁଆଁଏ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଯାହା ଘଟିଛି ତାହା ସ୍ପଷ୍ଟତଃ ଏହାର ଏକ ନମୁନା। ଏହାକୁ ବୁଝିବା ପାଇଁ କେବଳ ପ୍ରକାଶିତ ବିବୃତିଗୁଡ଼ିକୁ ଜାଣିବା ଦରକାର। ଡୋନାଲ୍ଡ ଟ୍ରମ୍ପ ୬ ଅଗଷ୍ଟ ୨୦୨୫ର ତାଙ୍କ ନିର୍ଦ୍ଦେଶ (ସଂଖ୍ୟା ୧୪୩୨୯)ରେ ଲେଖିଥିଲେ, ”ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷିଆ ତୈଳ ଆମଦାନୀ କରୁଥିବାରୁ ମୁଁ ସ୍ଥିର କଲି ଯେ ଭାରତର ସାମଗ୍ରୀ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ମୂଲ୍ୟ ଆଧାରିତ ଶୁଳ୍କ ଲାଗୁ କରିବା ଆବଶ୍ୟକ ଏବଂ ଯୁକ୍ତିଯୁକ୍ତ।“ ୬ ଫେବୃଆରୀ ୨୦୨୬ରେ ତାଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଛି, ”ବିଶେଷକରି ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ରୁଷିଆ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିବଦ୍ଧ ଏବଂ ଦର୍ଶାଇଛି ଯେ ଏହା ଆମେରିକାଠାରୁ ଶକ୍ତି ଉତ୍ପାଦ କିଣିବ। ଏହାସହ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆମେରିକା ସହିତ ଏକ ଢାଞ୍ଚା ପ୍ରସ୍ତୁତ କରିବାର ପ୍ରତିବଦ୍ଧତା ପ୍ରକାଶ କରିଛି।“ ଦେଖାଯାଉଛି, ଏବେ ଆମେରିକା ଯାହା ଚାହଁୁଛି ଭାରତ ସେଭଳି କରୁଛି। ଟ୍ରମ୍ପ କହିଛନ୍ତି, ”ମୁଁ ପର୍ଯ୍ୟାୟକ୍ରମେ ଭାରତ ଉପରେ ଲାଗୁ ଅତିରିକ୍ତ ଶୁଳ୍କକୁ ହଟାଇ ନେବାକୁ ସ୍ଥିର କରିଛି।“ ଭାରତର ଭଲ ଆଚରଣ କିମ୍ବା କୂଟନୈତିକ ଦୃଷ୍ଟିରୁ ଆଜ୍ଞାପାଳନ ପାଇଁ ହଟାଇ ଦିଆଯାଇଥିବା ଜଣାପଡ଼ୁଛି। ତଥାପି, ଟ୍ରମ୍ପ ଚେତାବନୀ ଦେଇଛନ୍ତି , ”ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷିଆ ତେଲ ଆମଦାନୀ ପୁନର୍ବାର ଆରମ୍ଭ କରୁଛି କି ନାହିଁ ତାହା ଉପରେ ଆମେରିକା ନଜର ରଖିବ“ ଏବଂ ଯଦି ଏହା ଘଟେ, ”ମୁଁ ଭାରତର ସାମଗ୍ରୀ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ପୁଣି ନିଶ୍ଚତ ଲାଗୁ କରିବି।“ ଭାରତ ବିବୃତିରେ କହିଛି, ”ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ୧୦୦ ବିଲିୟନ ଡଲାର ହିସାବରେ ୫୦୦ ବିଲିୟନ ଡଲାର ଆମେରିକୀୟ ଉତ୍ପାଦ କିଣିବାକୁ ଚାହୁଁଛି। ୨୦୨୪ରେ ଏହା ୪୦ ବିଲିୟନ ଡଲାର ଥିଲା। ଦେଖିବାକୁ ଗଲେ ଭାରତ ଆମେରିକାରୁ ଦୁଇଗୁଣରୁ ଅଧିକ ଉତ୍ପାଦ କିଣିବାକୁ ପ୍ରତିବଦ୍ଧ ହୋଇଛି। ଏହା ପ୍ରତିବଦଳରେ ପାଇଛି କ’ଣ? ତେବେ ପୂର୍ବରୁ କୌଣସି ଟାରିଫ ନ ଥିଲାବେଳେ ଏବେ ବୃଦ୍ଧି କରିବା ପରେ ସେଥିରୁ ୧୮% କମାଇଛି। ଏହା ଆମ ପାଇଁ ପୁରସ୍କାର। ଏଥିରେ ସାର୍ବଭୌମତ୍ୱ ଉଲ୍ଲଂଘନ ହେଉନି କି? ଯାଞ୍ଚ କରନ୍ତୁ, ଅନିଚ୍ଛା ସତ୍ତ୍ୱେ ଚାପ ପକାଯାଇଛି କି ନାହିଁ? ଆତ୍ମସମର୍ପଣ କଥାକୁ ବି ପରଖନ୍ତୁ। ଦୁର୍ଭାଗ୍ୟବଶତଃ ଏସବୁ ଘଟିଛି। ଜୟଶଙ୍କର ଏବଂ ଭାରତ ସରକାର କ’ଣ କହୁଛନ୍ତି ତାହା ଶୁଣିବା ଆବଶ୍ୟକ ନାହିଁ, କେବଳ ସ୍ବାକ୍ଷର କରାଯାଇଥିବା ବୁଝମଣା ସମ୍ପର୍କରେ ଆମେ ଜାଣିବା ଦରକାର।
ପ୍ରଶ୍ନ ହେଉଛି ଆମେ କାହିଁକି ଆତ୍ମସମର୍ପଣ କଲୁ। ମୋର ବନ୍ଧୁ ତଥା ଅର୍ଥନୀତିଜ୍ଞ ଅଶୋକ ବର୍ଦ୍ଧନ ଚୁକ୍ତି ସ୍ବାକ୍ଷରିତ ହେବା ପୂର୍ବରୁ ଏକ ମେସେଜ ପଠାଇଥିଲେ; ଯେଉଁଥିରେ ସେ କ’ଣ ଘଟିବ ତାହା ପୂର୍ବାନୁମାନ କରି ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ। ସେ ଲେଖିଥିଲେ, ”ଭାରତ ଆତ୍ମସମର୍ପଣ କରିବାର ଦୁଇଟି କାରଣ ଅଛି। ପ୍ରଥମେ, ଏହି ସରକାରଙ୍କ ତଥାକଥିତ ଜାତୀୟତାବାଦୀ ପରିଚୟ ଏବଂ ଏହାର ସମର୍ଥନ ଆଧାରକୁ ଅତିରଞ୍ଚିତ କରି ଦର୍ଶାଇବା। ଜାତୀୟତାବାଦୀ କାଡକୁ ବୃହତ ଶକ୍ତିଗୁଡ଼ିକ ସହିତ ଚୁକ୍ତି କରିବା ସମୟରେ ବ୍ୟବହାର କରିବା ଉଚିତ ନୁହେଁ। ଏହା ବ୍ୟତୀତ, ଭାରତର ଅର୍ଥ ବ୍ୟବସ୍ଥାରେ ଥିବା କିଛି ଗତିଶୀଳ କ୍ଷେତ୍ର ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥ ସର୍ବାଧିକ ଭୂମିକା ଗ୍ରହଣ କରେ ଏବଂ ଉଭୟ ଆମେରିକୀୟ ବଜାର, ଫାର୍ମଗୁଡ଼ିକ ସହିତ ବ୍ୟାପକ ଭାବେ ଜଡ଼ିତ ଓ ପାଣ୍ଠି ଉପରେ ଅଧିକ ନିର୍ଭରଶୀଳ।“ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ କ୍ଷେତ୍ରଗୁଡ଼ିକର ମୋଟ ଉତ୍ପାଦର ପ୍ରାୟ ୭୦% ଆମେରିକାକୁ ରପ୍ତାନି ହେଉଛି। ଭାରତ ୨୦୨୪ରେ ଆମେରିକାକୁ ପ୍ରାୟ ୪୦ ବିଲିୟନ ଡଲାର ସର୍ଭିସେସ୍ ରପ୍ତାନି କରିଥିଲା। ବର୍ଦ୍ଧନ କହନ୍ତି,”ଭାରତୀୟ ଆର୍ଥିକ ବଜାରର ପ୍ରତ୍ୟେକ କ୍ଷେତ୍ର ମୁଖ୍ୟତଃ ଭେଞ୍ଚର ଫଣ୍ଡିଂଠାରୁ ଆରମ୍ଭ କରି ଆର୍ଥିକ ଗବେଷଣା ଓ ବିତ୍ତୀୟ ଖବର ସରବରାହ ସଂସ୍ଥା ଇତ୍ୟାଦି ଆମେରିକା ସହିତ ବି ଜଡ଼ିତ। ଆମର ଜାତୀୟତାବାଦ, ଆମର ସାହସ, ଆମର ୫୬ ଇଞ୍ଚ କେବଳ ଅନ୍ୟ ଭାରତୀୟମାନଙ୍କୁ ନିର୍ଯାତନା ଏବଂ ଧମକାଇବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଜଣେ ପ୍ରକୃତ ପ୍ରତିପକ୍ଷଙ୍କ ସାମ୍ନାରେ ଏହା ମଳିନ ପଡ଼ିଯାଏ। ତେବେ ଟ୍ରମ୍ପ ଆମକୁ ତାଙ୍କ ଇଚ୍ଛାରେ ଏଭଳି ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବା ଘଟଣା ପ୍ରଥମ ଥର ଘଟିନାହିଁ। ମେ ୨୦୧୯ରେ, ଟ୍ରମ୍ପ ଶୁଳ୍କ ଛାଡ଼ ପାଇଁ ଅନୁମତି ନ ଦେବା ପରେ ଭାରତ ଇରାନରୁ ତେଲ କିଣିବା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ଟ୍ରମ୍ପଙ୍କ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ତାଙ୍କ ପୁସ୍ତକ ‘ଦି ରୁମ୍ ହୋୟାର ଇଟ୍ ହାପେଣ୍ଡ’ରେ ଲେଖିଛନ୍ତି, ଟ୍ରମ୍ପ ମୋଦିଙ୍କ ସମସ୍ୟାକୁ ନ ଦେଖି ତାଙ୍କ ଟିମ୍କୁ କହିଥିଲେ ଯେ ‘ସେ(ମୋଦି) ଠିକ୍ ହୋଇଯିବେ’। ଏହାର ଅର୍ଥ ହେଉଛି ଭାରତକୁ ମାଗଣା ପରିବହନ ଏବଂ ବୀମା ଓ ୬୦ ଦିନର କ୍ରେଡିଟ ଭଳି ରିହାତି ସହିତ ଆସୁଥିବା ତେଲ ଆଣିବାକୁ ମନା କରାଯାଇଥିଲା। ଭାରତ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ଏହାର ଅନେକ ରିଫାଇନେରି ଇରାନର ଅଶୋଧିତ ତୈଳ ପ୍ରକ୍ରିୟାକରଣ ପାଇଁ ନିର୍ମାଣ କରାଯାଇଛି ଏବଂ ହଠାତ୍ ପରିବର୍ତ୍ତନ ହୋଇପାରିବ ନାହିଁ ଓ ଇରାନରୁ ଯୋଗାଣ ବନ୍ଦ ହେଲେ ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ପ୍ରଭାବିତ ହେବ। ଟ୍ରମ୍ପ ଏହାକୁ ସ୍ବୀକାର କରି ନ ଥିଲେ। ଆମେ ସେତେବେଳେ ତାଙ୍କ କଥା ମାନିଥିଲୁ, ଯେପରି ଆମେ ପୁଣି ଥରେ ରୁଷିଆ ତୈଳ ଏବଂ ବର୍ତ୍ତମାନ ଭେନେଜୁଏଲା ଓ ଆମେରିକୀୟ ତୈଳ କିଣିବାକୁ ରାଜି ହୋଇଛୁ। ଯେଉଁଠାରୁ ଆରମ୍ଭ କରିଥିଲୁ ସେହିଠାକୁ ଆମକୁ ଫେରିଯିବାକୁ ପଡ଼ିବ, କାରଣ ଭାରତୀୟମାନେ ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ସେମାନଙ୍କ ନାମରେ କ’ଣ କରାଯାଇଛି। ସ୍ପଷ୍ଟତଃ ସରକାରୀ କାର୍ଯ୍ୟରେ ବିଦେଶୀ ହସ୍ତକ୍ଷେପ ଦ୍ୱାରା ସାର୍ବଭୌମତ୍ୱ ଉଲ୍ଲଂଘନ ହୋଇଛି। ପ୍ରତିରୋଧ କରିବା ବନ୍ଦ କରି ଅନ୍ୟପକ୍ଷର କର୍ତ୍ତୃତ୍ୱ ନିକଟରେ ଆତ୍ମସମର୍ପଣ କରିଛୁ।