ନୂଆଦିଲ୍ଲୀ,୯।୧: ପ୍ରବଳ ଶୀତ ଲହରୀ ଜାରି ରହିଥିବାବେଳେ ଶୁକ୍ରବାର ସକାଳୁ ଦିଲ୍ଲୀ ଏବଂ ଏନସିଆର’ର କିଛି ଅଞ୍ଚଳରେ ହଠାତ୍ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏହି ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିନଥିଲେ।
IMD ଶୁକ୍ରବାର ପରବର୍ତ୍ତୀ ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ହରିୟାଣା ଏବଂ ରାଜସ୍ଥାନର କିଛି ଅଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି। ଏହି ବର୍ଷା ଯୋଗୁଁ ତାପମାତ୍ରା ଆହୁରି ହ୍ରାସ ପାଇବାର ଆଶା କରାଯାଉଛି।
ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡା ମଧ୍ୟରେ ହୋଇଥିବା ଏହି ବର୍ଷା ଦିଲ୍ଲୀ ଏବଂ ଏନସିଆରର ଅନ୍ୟାନ୍ୟ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI)ରେ ସୁଧାର ଆଣିବାର ସମ୍ଭାବନା ରହିଛି, ଯାହାକି ବର୍ତ୍ତମାନ ‘ଖରାପ’ ଏବଂ ‘ଅତ୍ୟନ୍ତ ଖରାପ’ ମଧ୍ୟରେ ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର (RMC) ଅନୁଯାୟୀ, ପ୍ରୀତ ବିହାର, ଆଇଟିଓ, ଇଣ୍ଡିଆ ଗେଟ୍, ସଫଦରଜଙ୍ଗ, ଆରକେ ପୁରମ୍, ଦ୍ୱାରକା, ଆଇଜିଆଇ ଏୟାରପୋର୍ଟ ସମେତ ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଏବଂ ଗ୍ରେଟର ନୋଏଡାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।