ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର ଟାଣୁଆ ଯୁବ ନେତା ସୁରେଶ ରେଡ୍ଡିଙ୍କୁ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ଏହି ନୂତନ ଦାୟିତ୍ୱ ମିଳିବା ପରେ ତାଙ୍କ ସମର୍ଥକ ଓ ସ୍ଥାନୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ସୁରେଶ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏହାସହ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଲାଷ ପଣ୍ଡାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି।

ସୁରେଶ ତାଙ୍କର ଏହି ସଫଳତା ପାଇଁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏମ୍‌ପି ଡା. ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜିଲା ସଭାପତି ସରୋଜ ସାବତ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।

ନିଜର ପ୍ରତିକ୍ରିୟା ରଖି ସୁରେଶ ରେଡି କହିଛନ୍ତି ଯେ, ଆଗାମୀ ଦିନରେ ଗଞ୍ଜାମ ଜିଲା ସମେତ ସମଗ୍ର ରାଜ୍ୟରେ ଯୁବ ମୋର୍ଚ୍ଚାର ସଂଗଠନକୁ ଆହୁରି ଶକ୍ତିଶାଳୀ କରାଯିବ। ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଦଳର ଆଦର୍ଶ ସହ ଯୋଡ଼ିବା ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ନିରନ୍ତର କାର୍ଯ୍ୟ କରିବି।

Dharitri – Odisha’s No.1 Odia Daily

Share