‘ରାସ୍ତାରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଲେ ରହିବେ ଦାୟୀ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧: ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ କୁକୁର କାମୁଡ଼ା ଏବଂ ମୃତ୍ୟୁର ପ୍ରତ୍ୟେକ ମାମଲା ପାଇଁ ଭାରୀ କ୍ଷତିପୂରଣ ଲାଗୁ କରାଯାଇପାରେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କୁକୁର କାମୁଡ଼ାର ପ୍ରଭାବ ଜୀବନବ୍ୟାପୀ ରହିଥାଏ, ତେଣୁ ଆକ୍ରମଣ ପାଇଁ କୁକୁର ଖାଦ୍ୟଦାତାମାନଙ୍କୁ ମଧ୍ୟ ଦାୟୀ କରାଯିବା ଉଚିତ୍‌।

ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି, “ପ୍ରତ୍ୟେକ କୁକୁର କାମୁଡ଼ା ଏବଂ ମୃତ୍ୟୁ ପାଇଁ, ଆମେ ଆବଶ୍ୟକୀୟ ବ୍ୟବସ୍ଥା କରିବାରେ ବିଫଳ ରାଜ୍ୟଗୁଡ଼ିକ ଉପରେ ଭାରୀ କ୍ଷତିପୂରଣ ଲାଗୁ କରିବୁ। ଏହା ବ୍ୟତୀତ, ଯେଉଁମାନେ କୁକୁରମାନଙ୍କୁ ଖାଦ୍ୟ ଦିଅନ୍ତି ସେମାନଙ୍କୁ ମଧ୍ୟ ଦାୟୀ କରାଯିବ।

ସୁପ୍ରିମ କୋର୍ଟ କହିଛନ୍ତି ଯେ ହସ୍ପିଟାଲ, ରେଳ ଷ୍ଟେଶନ, ବସ ଡିପୋ ଏବଂ ଶିକ୍ଷାନୁଷ୍ଠାନ ଭଳି ସାର୍ବଜନୀନ ସ୍ଥାନଗୁଡ଼ିକୁ କୁକୁର ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇପାରିବ ନାହିଁ।

ଗୁଜରାଟ ହାଇକୋର୍ଟର ଏକ ଘଟଣାର ଉଦାହରଣ ଦେଇ ଜଷ୍ଟିସ ମେହେଟ୍ଟା କହିଛନ୍ତି ଯେ ପରିସ୍ଥିତି ଏତେ ଭୟଙ୍କର ଯେ କୋର୍ଟ ରୁମରେ ମଧ୍ୟ କୁକୁର ଆକ୍ରମଣ ଘଟୁଛି। ସବୁଠାରୁ ଖରାପ କଥା ହେଉଛି ଯେତେବେଳେ ପୌର କର୍ମଚାରୀମାନେ କୁକୁରମାନଙ୍କୁ ଧରିବାକୁ ଯାଆନ୍ତି, କୁକୁର ପ୍ରେମୀ ଏବଂ ଓକିଲମାନେ ସେମାନଙ୍କ ଉପରେ ଆକ୍ରମଣ କରନ୍ତି।

ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ଯେତେବେଳେ କୁକୁର ଜଣେ ନିର୍ଦ୍ଦୋଷ ୯ ବର୍ଷର ଶିଶୁକୁ ଆକ୍ରମଣ କରେ, ସେତେବେଳେ ଏହାର ଦାୟିତ୍ୱ କିଏ ନେବ? ବୁଲା କୁକୁରମାନଙ୍କୁ ଖାଦ୍ୟ ଦେଉଥିବା ସଂଗଠନ କ’ଣ ଦାୟିତ୍ୱ ନେବ?”

Dharitri – The Largest & Most Trusted Odia Daily