ମମତା ସରକାରଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ, ଇଡି ବିରୋଧରେ…

ନୂଆଦିଲ୍ଲୀ,୧୫।୧: ସୁପ୍ରିମକୋର୍ଟ ଗୁରୁବାର ଇଡି ବିରୋଧରେ ଏଫଆଇଆର ଉପରେ ରୋକ ଲଗାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇ-ପିଏସି କାର୍ଯ୍ୟାଳୟରେ ଚଢାଉ କରିବା ପାଇଁ ଇଡି ବିରୋଧରେ ଅଭିଯୋଗ ଦାୟର କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ ଯେ ସେମାନେ ଏଜେନ୍ସିର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ।

ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିପୁଲ ପାଞ୍ଚୋଲିଙ୍କ ଖଣ୍ଡପୀଠ ସିସିଟିଭି ଫୁଟେଜ ସମେତ ସମସ୍ତ ପ୍ରମାଣ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ମମତା ବାନାର୍ଜୀ, ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ପୋଲିସକୁ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ଶୁଣାଣି ଫେବୃଆରୀ ୩, ୨୦୨୬ରେ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ଏଜେନ୍ସିର ଅଭିଯୋଗ ଗମ୍ଭୀର ବୋଲି କହି କୋର୍ଟ ଦୁଇ ସପ୍ତାହ ମଧ୍ୟରେ ମମତା ସରକାରଙ୍କଠାରୁ ଜବାବ ମାଗିଥିଲେ।

ଜାନୁଆରୀ ୮, ୨୦୨୬ରେ ଇଡି ଟିଏମସିର ଆଇଟି ମୁଖ୍ୟ ଏବଂ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସିର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଏବଂ କମ୍ପାନୀ ପରିସରରେ ଚଢାଉ କରିଥିଲା। ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ମମତା ବଙ୍ଗଳା ପୋଲିସ ଅଧିକାରୀଙ୍କ ସହିତ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ସହିତ ପ୍ରମାଣ ନେଇଯାଇଥିଲେ।

Dharitri – The Largest & Most Trusted Odia Daily

Share
Tags: National