ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଖବରର ପ୍ରଭାବ ସ୍ବରୂପ, ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ବଞ୍ଚିତ କିଛି ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗୋଦାମରେ ଚାଉଳ ଗଚ୍ଛିତ ଥିଲେ ହେଁ ବୈଷୟିକ କାରଣରୁ ଗ୍ରାମବାସୀଙ୍କୁ ଚାଉଳ ମିଳିବାରେ ବିଳମ୍ବ ଘଟିଥିଲା। ଏ ସମ୍ପର୍କରେ ସେମାନେ ଏକ ଲିଖିତ ଅଭିଯୋଗ ବିଡ଼ିଓଙ୍କ ଜରିଆରେ ଯୋଗାଣ ନିରୀକ୍ଷକ ବିଭୁ ରଞ୍ଜନ ସାହୁଙ୍କୁ ପ୍ରଦାନ କରିଥିବା ଘଟଣାକୁ ନେଇ ଖବର ପ୍ରକାଶ ପାଇବା ପରେ ଯୋଗାଣ ନିରୀକ୍ଷକ ଘଟଣାର ତଦନ୍ତ କରିବା ସହ ତୁରନ୍ତ ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ନିଜ ପ୍ରତିଶ୍ରୁତି ମୁତାବକ, ସୋମବାର ଯୋଗାଣ ନିରୀକ୍ଷକ ସିଧାସଳଖ ଚମ୍ପାଛୁଆଁ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ‘ଗୁଡ଼ି’ ପାଖରେ ଏକତ୍ରିତ ହୋଇଥିବା ହିତାଧିକାରୀଙ୍କୁ ସ୍ବଚ୍ଛତାର ସହ ଚାଉଳ ବଣ୍ଟନ କରାଯାଇଥିଲା। ଖବର ପ୍ରକାଶ ପାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରଶାସନର ଏହି ତତ୍ପରତାକୁ ସ୍ଥାନୀୟ ୱାର୍ଡ ମେମ୍ବର ଜୟ ନାଏକ ଏବଂ ସମସ୍ତ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବାରେ ‘ଧରିତ୍ରୀ’ର ଭୂମିକା ଏବଂ ପ୍ରଶାସନର ତ୍ୱରିତ ସମାଧାନ ପାଇଁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।