ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲାପାଳ ଭି. କୀର୍ତ୍ତି ଭାସନ ଏବଂ ବ୍ରହ୍ମପୁର ଉପ-ଜିଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇ ସମୁଦାୟ ୪୧ଟି ସିଲିଣ୍ଡର ଜବତ କରାଯାଇଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁ ଗ୍ରାମାଞ୍ଚଳରେ ଗ୍ୟାସ୍ ସଙ୍କଟ ଦେଖାଦେଇଥିବାରୁ କିଛି କଳାବଜାରୀ ଏହାର ଫାଇଦା ଉଠାଉଥିଲେ। ସାଧାରଣ ଲୋକେ ଗ୍ୟାସ୍ ନପାଇ ଚୁଲିରେ ରୋଷେଇ କରୁଥିବା ବେଳେ ବଜାରରେ ସିଲିଣ୍ଡର ପିଛା ୨୫୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା।
ଯୋଗାଣ ବିଭାଗ ବି.ତୁରୁବୁଡି ଗ୍ରାମର ଟି. ଲକ୍ଷ୍ମୀ ନାରାୟଣ ପାତ୍ର (ମିଟୁ)ଙ୍କ ଘର ଓ ଅଟୋ ଉପରେ ଚଢ଼ାଉ କରିଥିଲା। ସେଠାରୁ ୨୮ଟି ଭର୍ତ୍ତି ସିଲିଣ୍ଡର ଜବତ ହୋଇଛି। ମିଟୁ ଏକ ଡାଲା ଅଟୋ ସାହାଯ୍ୟରେ ଗ୍ୟାସ୍ ଚଢ଼ା ଦରରେ ବିକ୍ରି କରିବାକୁ ନେଉଥିବା ବେଳେ ଧରାପଡ଼ିଥିଲେ। ଏହି ବ୍ଲକର ବାଲିପଡ଼ା ଗ୍ରାମର ଚିତ୍ର ଜେନାଙ୍କ ଘରୁ ୧୧ଟି ଖାଲି ସିଲିଣ୍ଡର ଜବତ କରାଯାଇଛି।
ଅତ୍ୟାବଶ୍ୟକୀୟ ସାମଗ୍ରୀ ନିୟନ୍ତ୍ରଣ ଆଇନର ଧାରା-୭ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଜବତ ସମସ୍ତ ସିଲିଣ୍ଡରକୁ ବ୍ରହ୍ମପୁର ସ୍ଥିତ ‘ନିୟତି ଇଣ୍ଡେନ ଗ୍ୟାସ’ ବିତରକଙ୍କ ଜିମାରେ ଦିଆଯାଇଥିବା ଦିଗପହଣ୍ଡି ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ୍ୱର ରାୟ ସୂଚନା ଦେଇଛନ୍ତି।
ଏହି ଚଢ଼ାଉରେ ବ୍ରହ୍ମପୁର ସହକାରୀ ଯୋଗାଣ ଅଧିକାରୀ ଧୀରଜ ଭୂୟାଁ, ମାର୍କେଟିଂ ଗୋଇନ୍ଦା ଇନ୍ସପେକ୍ଟର ରଞ୍ଜନ ସେଠୀ ଏବଂସାନଖେମୁଣ୍ଡି ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ଅକ୍ଷୟ ସେଠୀ , କୁକୁଡାଖଣ୍ଡି ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ସୁଧାକର ମଲ୍ଲିକ ସାମିଲ ଥିଲେ ।