ସମାଜରୁ ଅନ୍ଧବିଶ୍ୱାସ ଦୂର ହେବା ଜରୁରୀ: ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ସାଙ୍ଗଠନିକ ସଭା

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଉଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଖେମୁଣ୍ଡି ଅଞ୍ଚଳ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ବର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମରେ ଅନୁଷ୍ଠିତ ସଭାରେ କୁଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଖେମୁଣ୍ଡି ଅଞ୍ଚଳ କମିଟି ସଭାପତି ରାମନାଥ ବିଷୋୟୀ ସଭାରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ଗ୍ରାମରେ ବସବାସ କରୁଥିବା କୁଳସମାଜର ଅବହେଳିତ ଗରିବ ଶ୍ରେଣୀର ପରିବାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା।

ନିଶାନିବାରଣ,ଅନ୍ଧବିଶ୍ୱାସ, କୁସଂସ୍କାର, ଦୂର କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଅର୍ଥନୈତିକ ଉନ୍ନତି ଦିଗରେ କର୍ମକର୍ତ୍ତା ବୃନ୍ଦ ଆଲୋଚନା କରିବା ସହ କାଳଞ୍ଜି ସମାଜର ଐତିହ୍ୟ ଓ ପ୍ରାଚୀନ ପରମ୍ପରା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପରିଷଦର ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଉପସଭାପତି ରାଜେନ୍ଦ୍ର ସ୍ବାଇଁ, କୋଷାଧ୍ୟକ୍ଷ ରାଜୁ ନାହାକ, ସଙ୍ଗଠନ ସମ୍ପାଦକ ଲଡୁ କିଶୋର ସ୍ବାଇଁ, ସଙ୍ଗଠକ ସୁରେନ୍ଦ୍ର ସ୍ବାଇଁ, ସୱତନ୍ତ୍ର ମନୋନୀତ ସଭ୍ୟ ଗୋପାଳ କୃଷ୍ଣ ମଲ୍ଲିକ, ଉପଦେଷ୍ଟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ଏବଂ ଖେମୁଣ୍ଡି ଅଞ୍ଚଳ ପରିଷଦ ପରିସରଭୁକ୍ତ ସିଦ୍ଧେଶ୍ୱର, ଅଲାରିଗଡ଼, ଗୌତମୀ, ପୂର୍ବ ଓ ପଶ୍ଚିମ ମଣ୍ଡଳର ସଭାପତି, ସମ୍ପାଦକ ଓ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ବୃନ୍ଦ ଏହି ସଭାରେ ଉପସ୍ଥିତ ରହି କୁଳ ସମାଜର ବିଭିନ୍ନ ସାଙ୍ଗଠନିକ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଦିକନ୍ଦପୁର ଗ୍ରାମ୍ୟ କମିଟି ସଭାପତି ସୁଦର୍ଶନ ସ୍ବାଇଁ, ସମ୍ପାଦକ ଜଗନ୍ନାଥ ସ୍ବାଇଁ ଓ ଉପଦେଷ୍ଟା ଚିତ୍ରସେନ ସାହୁ ଓ କୁଳ ସମାଜର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।