Wriddhiman Saha of Sunrisers Hyderabad and David Warner of Sunrisers Hyderabad during match 56 of season 13 of the Indian Premier League (IPL ) between the Sunrisers Hyderabad and the Mumbai Indians held at the Sharjah Cricket Stadium, Sharjah in the United Arab Emirates on the 3rd November 2020. Photo by: Rahul Gulati / Sportzpics for BCCI
ଶାରଜା, ୪।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ୧୦ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିଥିବାବେଳେ ସନ୍ରାଇଜର୍ସ ୧୭.୧ ଓଭରରେ କୌଣସି ଉଇକେଟ ନ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ଫଳରେ ସନ୍ରାଇଜର୍ସ ୧୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନ ଅଧିକାର କରି ପ୍ଲେ-ଅଫ୍ରେ ପ୍ରବେଶ କରିଛି। ଆସନ୍ତା ୬ ତାରିଖରେ ହେବାକୁଥିବା ଏଲିମିନେଟରରେ ଅନ୍ୟତମ ୧୪ ପଏଣ୍ଟ ପ୍ରାପ୍ତ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଭେଟିବ ସନ୍ରାଇଜର୍ସ। ପଏଣ୍ଟ ଟେବୁଲରେ ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ ରହିଥିବାରୁ ଚଳିତ ମାସ ୫ ତାରିଖରେ କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୫ ତାରିଖର ପରାଜିତ ଦଳ ଏବଂ ୬ ତାରିଖ ବିଜେତାଙ୍କ ମଧ୍ୟରେ ୮ ତାରିଖରେ କ୍ୱାଲିଫାୟର-୨ ଖେଳାଯିବ। କ୍ୱାଲିଫାୟର ୧ ଓ ୨ ବିଜେତାଙ୍କ ମଧ୍ୟରେ ଫାଇନାଲ ୧୦ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ହାଇଦ୍ରାବାଦ ଓ ଆରସିବି ସମକକ୍ଷ ୧୪ ପଏଣ୍ଟ ପାଇଥିଲେ ହେଁ ରନ୍ହାରରେ ପଛରେ ପଡ଼ି କୋଲକାତା ନାଇଟ ରାଇଡର୍ସ ଟେବୁଲର ୫ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଫଳରେ କୋଲକାତାର ଅଭିଯାନ ଏଠାରୁ ଶେଷ ହୋଇଛି। ପଏଣ୍ଟ ଟେବୁଲର ଶେଷ ୩ ସ୍ଥାନରେ ଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବ, ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସର ଅଭିଯାନ ଶେଷ ହୋଇ ସାରିଛି।
ପାଓ୍ବାରପ୍ଲେରେ ସନ୍ଦିପଙ୍କ ରେକର୍ଡ
ପିଚ୍ର ପ୍ରକୃତି ଓ କାକର ସମସ୍ୟାକୁ ଦୃଷ୍ଟି ରଖି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ଓ୍ବାର୍ନର। ପାଓ୍ବାର ପ୍ଲେରେ ଚମତ୍କାର ବୋଲିଂ କରିଥିଲେ ପେସ୍ ବୋଲର ସନ୍ଦିପ ଶର୍ମା। ଫିଟ୍ ଥିବା ଦର୍ଶାଇ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ମାତ୍ର ୪ ରନ କରି ଆଉଟ ହୋଇଥିଲେ। କ୍ୱିଣ୍ଟନ ଡି’କକ୍ ୧୩ ବଲ୍ରୁ ୨୫(୨ ଚୌକା, ୨ ଛକା) ରନ କରି ପାରିଥିଲେ। ୨ଟି ଯାକ ଉଇକେଟ ସନ୍ଦିପ ନେଇଥିଲେ। ଡି’କକ୍ଙ୍କୁ ଆଉଟ କରି ଆଇପିଲର ପାଓ୍ବାରପ୍ଲେ(ପ୍ରଥମ ୬ ଓଭର)ରେ ସନ୍ଦିପଙ୍କ ୫୩ତମ ଉଇକେଟ ପୂରଣ କରିଥିଲେ। ଏ କ୍ଷେତ୍ରରେ ସେ ଜାହିର ଖାଁ (୫୨ ଉଇକେଟ)ଙ୍କୁ ଅତିକ୍ରମ କରି ରେକର୍ଡର ଅଧିକାରୀ ହୋଇଥିଲେ। ମୁମ୍ବାଇ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ୪୧(୨୫ ବଲ, ୨ ଚୌକା, ୪ ଛକା), ସୂର୍ଯ୍ୟକୁମାର ଯାଦବ ୩୬(୨୯ ବଲ, ୫ ଚୌକା), ଇଶାନ କିଶନ ୩୩(୩୦ ବଲ, ୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ସନ୍ରାଇଜର୍ସ ବୋଲରଙ୍କ ମଧ୍ୟରେ ସନ୍ଦିପ ୩ଟି, ଶାହାବାଜ ନଦିମ ଓ ଜାସନ ହୋଲ୍ଡର ୨ଟି ଲେଖାଏ ଏବଂ ରଶିଦ ଖାଁ ଗୋଟିଏ ଉଇକେଟ ନେଇଥିଲେ।
ମୁମ୍ବାଇ ଏହି ମ୍ୟାଚ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୁଇ ମୁଖ୍ୟ ପେସ୍ ବୋଲର ଯଶପ୍ରୀତ୍ ବୁମ୍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ଦେଇଥିଲା। ଫଳରେ ମୁମ୍ବାଇର ବୋଲିଂ ଆକ୍ରମଣ ଧାର ବିହୀନ ପ୍ରତୀୟମାନ ହୋଇଥିଲା। ଏହାର ସୁଯୋଗ ନେଇ ସନ୍ରାଇଜର୍ସର ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ରିଦ୍ଧିମାନ ଶାହ କୌଣସି କ୍ଷତି ହେବାକୁ ନ ଦେଇ ୧୭.୧ ଓଭରରେ ୧୫୧ ରନ ସଂଗ୍ରହ କରି ନେଇଥିଲେ। ଓ୍ବାର୍ନର ୫୮ ବଲ୍ରୁ ୧୦ ଚୌକା ଓ ୧ ଛକା ସହାୟତାରେ ୮୫ ଏବଂ ରିଦ୍ଧିମାନ ୪୫ ବଲ୍ରୁ ୭ ଚୌକା ଓ ୧ ଛକା ସହ ୫୮ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୯/୮ (ପୋଲାର୍ଡ-୪୧, ସୂର୍ଯ୍ୟକୁମାର-୩୬, କିଶନ-୩୩, ଡି’କକ୍-୨୫, ସନ୍ଦିପ-୩/୩୪, ଶାହାବାଜ-୨/୧୯, ହୋଲ୍ଡର-୨/୨୫, ରଶିଦ-୧/୩୨)। ସନ୍ରାଇଜର୍ସ ହାଇଦ୍ରାବାଦ ୧୭.୧ ଓଭରରେ ୧୫୧/୦ (ଓ୍ବାର୍ନର-୮୫*, ରିଦ୍ଧିମାନ-୫୮*)।