Jonny Bairstow of Sunrisers Hyderabad plays a shot during match 11 of season 13 of the Dream 11 Indian Premier League (IPL) between the Delhi Capitals and the Sunrisers Hyderabad held at the Sheikh Zayed Stadium, Abu Dhabi in the United Arab Emirates on the 29th September 2020. Photo by: Vipin Pawar / Sportzpics for BCCI
ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲରେ କ୍ୟାପିଟାଲ୍ସର ୩ ମ୍ୟାଚରୁ ଏହା ପ୍ରଥମ ପରାଜୟ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ଶେଖ୍ ଜାୟେଦ ଷ୍ଟାଡିୟମର ସ୍ଲୋ ପିଚ୍ରେ ଦିଲ୍ଲୀ ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରେ ଓପନର ପୃଥ୍ବୀ ଶ’(୨ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ଇନିଂସ ଗଢ଼ିବା ଉଦ୍ୟମରେ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଏଭଳି ପିଚ୍ରେ ତାରକା ସ୍ପିନର ରଶିଦ ଖାଁଙ୍କୁ ଜଗିରଖି ଖେଳିବା ଆବଶ୍ୟକ ହେଉଥିଲା। ଦ୍ୱିତୀୟ ଉଇକେଟରେ ୪୦ ରନ ଯୋଗ ହେବାପରେ ଆୟାରଙ୍କୁ ପ୍ରଥମ ଶିକାର ବନେଇ ରଶିଦ ପ୍ରଥମ ସଫଳତା ପାଇଥିଲେ। ୨୧ ବଲ୍ ଖେଳିଥିବା ଆୟାର ୨ ଚୌକା ସହାୟତାରେ ୧୭ ରନ କରି ପାରିଥିଲେ। ଏହାର ଅଭିଜ୍ଞ ଧାଓ୍ବନଙ୍କ ଉପରରେ ଦଳର ଭାର ପଡ଼ିଥିଲା। ତେବେ ସେ ୩୧ ବଲ୍ରୁ ୩୪(୪ ଚୌକା) ରନ କରି ରଶିଦଙ୍କ ବଲ୍ରେ ଆଉଟ ହେବାରୁ ଦିଲ୍ଲୀ ଉପରେ ଚାପ ବଢ଼ି ଯାଇଥିଲା। ୬୨ ରନରେ ଦଳ ତୃତୀୟ ଉଇକେଟ ହରାଇଥିଲା। ରନ ହାର ବୃଦ୍ଧି ପାଉଥିବାରୁ ଉଭୟ ରିଷଭ ପନ୍ତ ଓ ଶିମରନ ହେଟମେର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୧୫ତମ ଓଭରରୁ ହେଟମେର ୧୬ ରନ ସଂଗ୍ରହ କରିଥିଲେ ହେଁ ୧୬ତମ ଓଭରର ପ୍ରଥମ ବଲ୍ରେ ଆଉଟ ହୋଇଥିଲେ। ସେ ୧୨ ବଲ୍ରୁ ୨୧(୨ ଛକା) ରନ କରିଥିଲେ। ୧୭ତମ ଓଭରରେ ବୋଲିଂ କରିଥିବା ରଶିଦ ୪ର୍ଥ ବଲ୍ରେ ପନ୍ତଙ୍କୁ ଆଉଟ କରି ଦିଲ୍ଲୀ ଆଶାରେ ପାଣି ପକାଇ ଦେଇଥିଲେ। ପନ୍ତ ୨୭ ବଲ୍ରୁ ୧ ଚୌକା ଓ ୨ଛକା ସହାୟତାରେ ୨୮ ରନ କରିଥିଲେ। ଶେଷ ଆଶା ମାର୍କୁସ ଷ୍ଟୋଇନିସ ମାତ୍ର ୧୧ ରନ କରି ପାରିଥିଲେ। ସନ୍ରାଇଜର୍ସ ବୋଲରଙ୍କ ମଧ୍ୟରେ ରଶିଦ ଖାଁ ୪ ଓଭର ସ୍ପେଲରେ ମାତ୍ର ୧୪ ରନଦେଇ ୩ଟି ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର ୨ଟି ଏବଂ ଖଲିଲ ଅହମଦ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓ୍ବାର୍ନର ଓ ବେୟାରଷ୍ଟୋ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଦୁଇ ଓପନର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ହୋଇଥିଲେ ହେଁ ନିଜ ଷ୍ଟାଇଲରୁ ଦୂରେଇ ରହି ଇନିଂସ ଗଢ଼ିବା ଉପରେ ମନୋନିବେଶ କରିଥିଲେ। ଫଳରେ ପାଓ୍ବାରପ୍ଲେ ୬ ଓଭରରେ ଉଇକେଟ ନ ପଡ଼ିଥିଲେ ହେଁ ମାତ୍ର ୩୮ ରନ ହୋଇ ପାରିଥିଲା। ପ୍ରଥମ ଉଇକେଟରେ ୫୭ ବଲ୍ରୁ ୭୭ ରନ ସ୍କୋର ହୋଇଥିବାବେଳେ ଅମିତ ମିଶ୍ରଙ୍କ ବଲ୍ରେ ଓ୍ବାର୍ନର କଟ୍ ବିହାଇଣ୍ଡ ହୋଇ ଯାଇଥିଲେ। ଅମ୍ପାୟର ପ୍ରଥମେ ଆଉଟ ଦେଇ ନ ଥିଲେ ହେଁ ରିଭ୍ୟୁ ପରେ ନିଷ୍ପତ୍ତି ବଦଳାଇଥିଲେ। ୩୩ଟି ବଲ୍ ଖେଳିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ୩ ଚୌକା ଓ ୨ ଛକା ସହାୟତାରେ ୪୫ ରନ କରିଥିଲେ। ମନୀଷ ପାଣ୍ଡେ ମାତ୍ର ୩ ରନରେ ଆଉଟ ହେବାରୁ ସନ୍ରାଇଜର୍ସକୁ ଝଟ୍କା ଲାଗିଥିଲା। ବେୟାରଷ୍ଟୋଙ୍କ ସହ କେନ୍ ଓ୍ବିଲିୟମସନ ଇନିଂସକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ପୂରଣ ପାଇଁ ବେୟାରଷ୍ଟୋ ୪୪ଟି ବଲ୍ର ସହାୟତା ନେଇଥିଲେ। ସେ ମୋଟ ୫୩ (୪୮ ବଲ୍, ୨ ଚୌକା, ୧ ଛକା)ରନ କରି ୧୮ତମ ଓଭରର ୫ମ ବଲ୍ରେ ଆଉଟ ହୋଇଥିଲେ। ବେୟାରଷ୍ଟୋ ଓ ଓ୍ବିଲିୟମସନ ତୃତୀୟ ଉଇକେଟରେ ୫୨ ରନର ଭାଗୀଦାରି ଗଢ଼ିଥିଲେ। ଅନ୍ତିମ ଓଭରର ୪ର୍ଥ ବଲ୍ରେ ଆଉଟ ହୋଇଥିଲେ ଓ୍ବିଲିୟମସନ । ସେ ୨୬ ବଲ୍ରୁ ୫ ଚୌକା ସହ ୪୧ ରନ କରିଥିବାବେଳେ କାଗିଶୋ ରାବାଡ଼ାଙ୍କ ବଲରେ ଅକ୍ଷର ପଟେଲଙ୍କୁ ମିଡ୍ଅନ୍ରେ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଜମ୍ମୁ କଶ୍ମୀର ଅଲରାଉଣ୍ଡର ଅବଦୁଲ ସମଦ ୧୨(୭ ବଲ, ୧ ଚୌକା, ୧ ଛକା) ଓ ଅଭିଷେକ ଶର୍ମା ୧ ରନରେ ଅପରାଜିତ ରହିଥିବାବେଳେ ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ରାବାଡ଼ା ଓ ଅମିତ ମିଶ୍ର ୨ଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୨/୪(ବେୟାରଷ୍ଟୋ-୫୩, ଓ୍ବାର୍ନର-୪୫, ଓ୍ବିଲିୟମସନ-୪୧, ରାବାଡ଼ା-୨/୨୧, ଅମିତ-୨/୩୫)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୭/୭(ଧାଓ୍ବନ-୩୪, ପନ୍ତ-୨୮, ହେଟମେର-୨୧, ରଶିଦ-୩/୧୪, ଭୁବନେଶ୍ୱର-୨/୨୫, ଟି. ନଟରାଜନ-୧/୨୯, ଖଲିଲ-୧/୪୩)।