Hyderabad: Sunrisers Hyderabad's Bhuvneshwar Kumar in action during the eighth IPL 2019 match between Sunrisers Hyderabad and Rajasthan Royals at Rajiv Gandhi International Stadium in Hyderabad on March 29, 2019. (Photo: IANS)
ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ସନରାଇଜର୍ସ ହାଇଦ୍ରାବାଦ୍ ତରଫରୁ ଖେଳିବା ସୁଯୋଗ ଭାରତୀୟ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ନିଜେ କହିଛନ୍ତି। ଡେଥ୍ ଓଭରରେ ବୋଲିଂ ଏବଂ ଚାପକୁ ହାତେଇବାର କୌଶଳ ଏହି ଦଳରୁ ଖେଳିବା ଦ୍ୱାରା ସେ ହାସଲ କରିପାରିଛନ୍ତି। ଭାରତର ପେସ୍ ବାହିନୀକୁ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାବେ ବିବେଚନା କରାଯାଉଛି। ଏହି ବାହିନୀର ମୁଖ୍ୟ ସଦସ୍ୟ ହେଉଛନ୍ତି ଭୁବନେଶ୍ୱର। ଅନ୍ୟମାନେ ହେଲେ ଯଶପ୍ରୀତ୍ ବୁମ୍ରା, ମହମ୍ମଦ ଶାମି ଓ ଉମେଶ ଯାଦବ। ଭୁବନେଶ୍ୱର କହିଛନ୍ତି ସେ ସବୁ ସମୟରେ ୟର୍କର ବଲ୍ ପକାଇ ପାରନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ବଲ୍ ପକାଇବା ଶିକ୍ଷା ସେ ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେବାପରେ ହାସଲ କରିଥିଲେ। ଆଇପିଏଲ୍ର ଏହି ସଂସ୍କରଣରେ ସେ ୧୪ଟି ମ୍ୟାଚ ଖେଳିଥିଲେ। ଦଳ ତାଙ୍କୁ ଇନିଂସର ଆରମ୍ଭ ଏବଂ ଶେଷ ଭାଗରେ ବୋଲିଂରେ ନିୟୋଜିତ କରିଥିଲା। ଡେଥ୍ ଓଭର ବୋଲିଂ ବେଳେ ଚାପକୁ କପରି ହାତେଇବାକୁ ହୁଏ ତାହା ମଧ୍ୟ ସେ ଶିକ୍ଷା କରିପାରିଥିଲେ, ଯାହାକୁ ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ମନେକରନ୍ତି। କ୍ରିକେଟବାଜି ଶୋ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗନେଇ ଦୀପ ଦାସଗୁପ୍ତାଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଭାରତୀୟ ପେସ୍ ବୋଲର ଏକଥା ପ୍ରକାଶ କରିଛନ୍ତି। ଇତିମଧ୍ୟରେ ୧୩୨ ଅନ୍ତର୍ଜାତୀୟ ଦିନିକିଆ ଏବଂ ୬୩ ଟେଷ୍ଟ ଉଇକେଟ ହାସଲ କରିଥିବା ଭୁବନେଶ୍ୱର କହିଛନ୍ତି, ଯେତେବେଳେ ପୂର୍ବତନ ଭାରତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଫଳାଫଳକୁ ଆଶା ନ କରି ନିଜ ବୋଲିଂ ଲାଇନ୍ ଉପରେ ଧ୍ୟାନ ଦେବା ଆରମ୍ଭ କଲି ଓ ମୁଁ ଲକ୍ଷ୍ୟ ହାସଲ କରିବାରେ ଲାଗିଲି। କୋଭିଡ୍-୧୯ ମହାମାରୀ ଯୋଗୁ ସେ ଲକ୍ଡାଉନ୍ ସମୟକୁ କିପରି ଅତିବାହିତ କରୁଛନ୍ତି ବୋଲି ପଚରାଯିବାରେ ଭୁବନେଶ୍ୱର କହିଛନ୍ତି, ପ୍ରଥମ ୧୫ ଦିନ ମୋ ମନରେ ଉତ୍ସାହ ଜାଗ୍ରତ ହୋଇଥିଲା। ହେଲେ ଏହା କେତେଦିନ ଧରି ଚାଲିବ ତାହା ଅସ୍ପଷ୍ଟ ହେବାରୁ ମଁୁ ବିବ୍ରତ ହୋଇପଡ଼ିଥିଲି। ଘରେ କୌଣସି ସରଞ୍ଜାମ ନ ଥିବାରୁ କେମିତି ବ୍ୟାୟାମ କରିବି ତାହା ଚିନ୍ତା କରିଥିଲି। ଭାବୁଛି କିଛି ମାସ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିଯିବ।