ସୁନୀତା ୱିଲିୟମ୍ସ ଅବତରଣବେଳେ ସମୁଦ୍ରରେ ଦେଖାଗଲା ଅଜବ ଦୃଶ୍ୟ: ଭାଇରାଲ ହେଉଛି ଭିଡିଓ

ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପ୍‌ସୁଲରେ ସୁନୀତା ଓ ବୁଚ୍‌ଙ୍କ ସହ ‘କ୍ରିଉ ୯’ ମିଶନର ଅନ୍ୟ ୨ ସଦସ୍ୟ ଆମେରିକୀୟ ମହାକାଶଚାରୀ ନିକ୍‌ ହଗ୍‌ ଓ ରୁଷୀୟ କସ୍ମୋନଟ୍‌ ଆଲେକଜାଣ୍ଡର ଗୋର୍ବୁନୋଭ ମଧ୍ୟ ପୃଥିବୀ ଉପରେ ସଫଳତାର ସହ ଅବତରଣ କରିଥିଲେ।

ଯେତେବେଳେ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀମାନଙ୍କୁ କ୍ୟାପସୁଲରୁ ବାହାର କରାଯାଉଥିଲା, ଅନେକ ଡଲଫିନ କ୍ୟାପସୁଲ ଚାରିପାଖରେ ପହଁରିଥିଲେ। ଏତେ କୋଳାହଳ ଦେଖି ସେମାନେ ବୋଧହୁଏ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଦେଖି ୟୁଜର୍ସ କହୁଛନ୍ତି ମହାକାଶଚାରୀଙ୍କୁ ଡଲଫିନ୍‌ ସ୍ବାଗତ କରୁଛି।

ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପ୍ରାୟ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ସକାଳ ୩.୨୭ରେ ଡ୍ରାଗନ କ୍ୟାପସୁଲ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲା।

ଆମେରିକାର ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ୮ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନର୍‌ ମହାକାଶଯାନ ମାଧ୍ୟମରେ ମହାକାଶକୁ ଯାଇଥିଲେ। ଏହା ନାସାର ଏକ ୮ ଦିନିଆ ମହାକାଶ ଅଭିଯାନ ଥିଲା, କିନ୍ତୁ ଏହି ମହାକାଶଯାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ, ନାସା ସେମାନଙ୍କୁ ଫେରାଇ ଆଣିବାକୁ ଅନେକ ଥର ଚେଷ୍ଟା କରିଥିଲା, କିନ୍ତୁ ଉଭୟ ମହାକାଶଚାରୀ ଫେରିପାରି ନ ଥିଲେ। ଶେଷରେ ନଅ ମାସ ପରେ ଉଭୟଙ୍କୁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ପୃଥିବୀକୁ ଫେରାଇ ଅଣାଯାଇଛି।

Share