ନୂଆଦିଲ୍ଲୀ, ୮ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍ସିବି)ର ଆଇପିଏଲ୍ ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ନିଜ ମତାମତ ଦେଇଛନ୍ତି। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଡଜନ ଲୋକ ଆହତ ହୋଇଥିଲେ।
ଆଇପିଏଲ୍ ଆରମ୍ଭ ହେବାର ପ୍ରଥମ କିଛି ବର୍ଷରେ ଟ୍ରଫି ଜିତିଥିଲେ, ଫ୍ୟାନ୍ସ ଏତେ ଭାବବିହ୍ବଳ ହୋଇ ନ ଥାନ୍ତେ। ୧୮ ବର୍ଷର ଅପେକ୍ଷା ଯୋଗୁ ଫ୍ୟାନ୍ସ ଅଧିକ ଭାବବିହ୍ବଳ ହୋଇପଡ଼ିଥିଲେ। ଅନ୍ୟ ଦଳ ଆଇପିଏଲ୍ ଜିତିଛନ୍ତି। କିନ୍ତୁ ସେମାନଙ୍କ ବିଜୟ ଉତ୍ସବକୁ ନେଇ ଫ୍ୟାନ୍ସମାନେ ଏତେ ଭାବବିହ୍ବଳ ନୁହନ୍ତି। କାରଣ ସେମାନଙ୍କ ଫ୍ୟାନ୍ସଙ୍କୁ ଏତେ ଲମ୍ବା ଅପେକ୍ଷା କରିବାକୁ ପଡ଼ି ନ ଥିଲା। ୧୮ ବର୍ଷର ଲମ୍ବା ଅପେକ୍ଷା ପରେ ଦଳ ଆଇପିଏଲ ଜିତିଥିବାରୁ ଫ୍ୟାନ୍ସଙ୍କ ଖୁସିର କୌଣସି ସୀମା ନ ଥିଲା।
ଖୁବ୍ ଆନନ୍ଦ ଦେଇଥିବା କ୍ରିକେଟରଙ୍କ ଝଲକ ପାଇବା ପାଇଁ ସେମାନେ ଏକତ୍ରିତ ହୋଇଥିଲେ। କିନ୍ତୁ ଯାହା ଘଟିଗଲା, ତାହା ହୃଦୟ ବିଦାରକ। ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପ୍ରତି ମୋର ସମବେଦନା ରହିଛି ବୋଲି ୭୫ ବର୍ଷୀୟ ଗାଭାସ୍କର ମିଡ୍-ଡେ’ ଲାଗି ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି।