ମୁମ୍ବାଇ ,୩୧ା୧: ଦିବଂଗତ ଏନ୍ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ନିଧନ ହେବା ପରେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନ୍ସିପି(ଅଜିତ)ପକ୍ଷରୁ ଜୋର୍ଦାର୍ ଦାବି କରାଯାଇଥିଲା। ଶୁକ୍ରବାର ଦଳର ୩ ବରିଷ୍ଠ ନେତା ଛଗନ୍ ଭୁଜବଳ, ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ ତାଙ୍କ ବାସଭବନରେ ଭେଟି ଏ ସମ୍ପର୍କରେ ଦାବି ଜଣାଇଥିଲେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେବାକୁ ମଧ୍ୟ ସେମାନେ କହିଥିଲେ। ଅଜିତ ପାଓ୍ବାର ମହାୟୁତି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବା ସହିତ ତାଙ୍କ ହାତରେ ଅର୍ଥ, ଅବକାରୀ ଏବଂ କ୍ରୀଡ଼ା ଆଦି ପ୍ରମୁଖ ବିଭାଗର ଦାୟିତ୍ୱ ରହିଥିଲା। ସେହି ଅନୁସାରେ ସୁନେତ୍ରାଙ୍କୁ ଦାୟିତ୍ୱ ଦେବାକୁ ଏହି ନେତାମାନେ ଫଡ୍ନବିସଙ୍କ ନିକଟରେ ଦାବି କରିଥିଲେ। ସୁନେତ୍ରାଙ୍କୁ ନେଇ ତାଙ୍କ ଦଳ ଯେଉଁ ନିଷ୍ପତ୍ତି ନେବ ତାହାକୁ ସମ୍ମାନର ସହ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଗଣମାଧ୍ୟମକୁ ସୂଚନା ଦେବା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେଉଥିବା ନିଶ୍ଚିତ ହୋଇଯାଇଛି।
ଅନ୍ୟପଟେ ଏନସିପିର ମିଶ୍ରଣକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପୂର୍ବରୁ ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଅଜିତ ଉଦ୍ୟମ କରିଥିଲେ। ଏଥିନେଇ ସେ ତାଙ୍କ ଦାଦା ଶରଦ ପାଓ୍ବାରଙ୍କ ସହ ଆଲୋଚନା କରିବା ସହିତ ଗତ ଡିସେମ୍ବର ଏବଂ ଚଳିତ ମାସ ପ୍ରାରମ୍ଭରେ ଦୁଇ ଦୁଇଥର ବୈଠକ କରିଥିଲେ। ତେବେ ସାଂପ୍ରତିକ ପରିପ୍ରେକ୍ଷୀରେ ଦଳର ମିଶ୍ରଣକୁ ଉଭୟ ଗୋଷ୍ଠୀର ନେତା ଗୁରୁତ୍ୱ ଦେଉଛନ୍ତି। ଏ ସମ୍ପର୍କରେ ଆସନ୍ତା ଫେବୃଆରୀ ମଧ୍ୟଭାଗରେ ଘୋଷଣା କରାଯିବା ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଶେଷକରି ଦଳର ମଙ୍ଗ କାହା ହାତରେ ରହିବ ତାହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ଏଥିନେଇ ପ୍ରଫୁଲ ପଟେଲ, ସୁପ୍ରିୟା ସୁଲେ ଏବଂ ସୁନେତ୍ରା ପାଓ୍ବାରଙ୍କ ନାମ ଚର୍ଚ୍ଚାରେ ରହିଥିଲେହେଁ ସାମ୍ପ୍ରତିକ ସ୍ଥିତିରେ ସୁନେତ୍ରାଙ୍କ ସପକ୍ଷରେ ଦଳର ବହୁ ନେତା ରହିଥିବା କୁହାଯାଉଛି।