ନୂଆଁଖାଇ ପାଳିଲେ ସୁନାନୀ ପରିବାର: ଏକାଠି ଖାଇଲେ ୬୦ ପରିବାରର ୩୫୦ରୁ ଊର୍ଦ୍ଧ୍ୱ ସଦସ୍ୟ

ନୂଆପଡ଼ା,୩୦ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ଡୁମେରପାଣି ଗାଁର ସୁନାନୀ ପରିବାର ସାମୂହିକ ଭାବେ ନୂଆଁଖାଇ ପାଳନ କରିଛନ୍ତି ା ଝାଙ୍କର ଗୌରାଙ୍ଗ ସୁନାନୀ ଓ ଗଜମନ ସୁନାନୀ ଗାଁ ଇଷ୍ଟ ଦେବଦେବୀଙ୍କଠାରେ ନୂଆଁଧାନ ଚୂଡା ଭୋଗ ଭାବରେ ଅର୍ପଣ ପରେ ଗାଁର ୬୦ ପରିବାରର ୩୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଏକାଠି ହୋଇ ନୂଆଁ ଖାଇଥିଲେ ା ଏହା ପରେ ପରସ୍ପର ମଧ୍ୟରେ ଜୁହାର ଭେଟ ଅନୁଷ୍ଠିତ ହୋଇଥିଲା। ପ୍ରଥମଥର ପାଇଁ ଏକାଠି ବସି ନବାନ୍ନ ଭକ୍ଷଣ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଗ୍ରାମର ଜଣେ ବୟୋଜ୍ୟୋଷ୍ଠଙ୍କ କହିବା କଥା ନୂଆଁଖାଇରେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଘରକୁ ଆସି ପରିବାର ସହ ଏକାଠି ବସି ନୂଆଁ ଖାଇଥାନ୍ତି ା ଗାଁର ସୁନାନୀ ପରିବାର ପ୍ରଥମଥର ଏକାଠି ବସି ନୂଆଁଖାଇ ପର୍ବ ପାଳନ କରିଛୁ। ଏହା ଭ୍ରାତୃଭାବ, ସ୍ନେହ, ପ୍ରୀତି ଓ ଏକତାର ପ୍ରତୀକ ବୋଲି ଅନୁଭବ ହେଉଛି। ଏହି ପର୍ବକୁ ସବୁବର୍ଷ ଏକାଠି ପାଳନ କରିବୁ ବୋଲି ସେ ପ୍ରକାଶ କରିଥିଲେ। ଯୋଗେନ୍ଦ୍ର ସୁନାନୀ, ଦୟାନିଧି ସୁନାନୀ, ଲବ ସୁନାନୀ, ଚତୁର୍ଭୁଜ ସୁନାନୀ ପ୍ରମୁଖ ଆୟୋଜନ କରିଥିଲେ ା