କୃଷି ବିଭାଗକୁ ଫେରିଲା ସୁକିନ୍ଦା ବିହନ ଫାର୍ମ

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମ ହସ୍ତାନ୍ତର ଚୁକ୍ତିକୁ ରାଜ୍ୟ କୃଷି ବିଭାଗ ବାତିଲ କରିଛି। ଏହାପରେ ଏହି ଫାର୍ମ କୃଷି ବିଭାଗ ଅଧୀନକୁ ପୂର୍ବପରି ଫେରି ଆସିଥିବା ଜଣାପଡିଛି। ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ ପରେ ଏହି ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ, ନ୍ୟାଶନାଲ ସିଡ୍‌ସ କର୍ପୋରେଶନ (ଏନ୍‌ଏସ୍‌ସି) ସହ ରାଜ୍ୟ କୃଷି ବିଭାଗ ମଧ୍ୟରେ ୨୦୧୬ରେ ହସ୍ତାନ୍ତର ଚୁକ୍ତି ହୋଇଥିଲା। ଏହାପରେ ଏନ୍‌ଏସ୍‌ସି ମନମାନି କରି କୃଷି ଫାର୍ମକୁ ଏକ ପ୍ରକାର ବୁଡ଼େଇ ଦେଇଥିବା ଅଭିଯୋଗ ହୋଇଥିଲା। ଏନ୍‌ଏସ୍‌ସି ସେତେବେଳେ ନିଜେ କାମ ନ କରି ଝାଡ଼ଖଣ୍ଡର ଗୋବିନ୍ଦ ଇଞ୍ଜିନିୟର ଠିକାସଂସ୍ଥାକୁ ଟେକି ଦେଇଥିଲା। ଏହାପରେ ଉକ୍ତ ଠିକାସଂସ୍ଥା ଶ୍ରମିକମାନଙ୍କୁ ମନଇଚ୍ଛା ଛଟେଇ କରି ଧାନଚାଷ ବନ୍ଦ କରି ଦେଇଥିଲା। ଡାଲି ଜାତୀୟ ଫସଲ କରି ଶ୍ରମିକଙ୍କୁ କାର୍ଯ୍ୟରୁ ନିବୃତ୍ତ ରଖିବା ପରେ ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲା। ସଂଘ ପକ୍ଷରୁ ବିଶ୍ୱନାଥ ପାତ୍ର, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବରିଷ୍ଠ ଆଇନଜୀବୀ କ୍ଷୀରୋଦ ରାଉତ, ପ୍ରଫୁଲ୍ଲ ସାମନ୍ତରା, ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ସହ ବହୁ ନେତୃବର୍ଗଙ୍କ ସହଯୋଗରେ ଆନ୍ଦୋଳନ ବ୍ୟାପକ ହୋଇଥିଲା। ଏଥିପାଇଁ ଆନ୍ଦୋଳନକାରୀଙ୍କ ସମେତ ଶ୍ରମିକ ସଂଘର ସଭାନେତ୍ରୀ ଖଇର ମହାନ୍ତ, ଇନ୍ଦ୍ରମଣି ମହାନ୍ତଙ୍କ ସହ ୨୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କ ନଁାରେ ଏକାଧିକ ମାମଲା ରୁଜୁ କରାଯାଇଥିଲା। ଏନ୍‌ଏସ୍‌ସିକୁ କିଛି କୁଚକ୍ରୀ ସମର୍ଥନ ଦେଇ ଆନ୍ଦୋଳନ ଭଣ୍ଡୁର ପାଇଁ ଉଦ୍ୟମ କରିଥିଲେ। ତଥାପି ଶ୍ରମିକ ସଂଘ ହାର ନ ମାନି ୨୦୨୪ ଫେବୃଆରୀରେ କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ଗତ ୮ ତାରିଖରେ ଜିଲା କୃଷି ବିଭାଗର ଅରୁଣ କୁମାର ବେହେରା ସୁକିନ୍ଦା ବିହନ ଫାର୍ମ ଓଭରସରଙ୍କ ଉପସ୍ଥିତିରେ ଏନ୍‌ଏସ୍‌ସି ସହ ଚୁକ୍ତି ବାତିଲ କରି ବିହନ ଫାର୍ମ ହସ୍ତାନ୍ତର କରିଥିଲେ ବୋଲି ସୂଚନା ମିଳିଛି।