ଧର୍ମଶାଳା, ୨୦।୧୧ (ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ଉପନିର୍ବାଚନ ଭୋଟିଂ ସରିଯାଇଛି। ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ବିଜୟ ହାସଲ କରିଛନ୍ତି ଏହି ପଞ୍ଚାୟତର କ୍ଷେତ୍ରପାଳ ଗ୍ରା:ପର ସମିତି ସଭ୍ୟା ସୁଚିସ୍ମିତା ଦାସ । ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ଳକ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳାର ସହ ଏହି ନିର୍ବାଚନ ପରିଚାଳନା କରାଯାଇଛି। ଧର୍ମଶାଳା ତହସିଲଦାର ସମୀର ରଞ୍ଜନ ଦାସ ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ ତହସିଲଦାର ଭବେଶ କୁମାର ମାଝୀ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପୋଲିସ ମୁଖ୍ୟାଳୟରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ସହ ଯାଜପୁର ରୋଡ ଏସ୍ଡିପିଓ ଧର୍ମଶାଳା ଥାନାର ଭାରପ୍ରାପ୍ତ ଥାନାଧିକାରୀ ରମାକାନ୍ତ ନାୟକ ଜାରକା ବିଟ୍ ହାଉସ ପୋଲିସ ଅଧିକାରୀ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ବ୍ଲକ ଅଧିନରେ ୪୫ଗୋଟି ପଞ୍ଚାୟତ ରହିଛି । ଚଳିତ ନିର୍ବାଚନରେ ସରକାର ପରିବର୍ତ୍ତନ ପରେ ବିଜେଡି ପରାଜୟ ହୋଇଛି। ସେହି ସମୟରେ ବିଜେଡିର ପୂର୍ବତନ ବିଧାୟକ ପ୍ରବଣ ବଳବନ୍ତ ରାୟଙ୍କ ଭାଇ ପ୍ରଭାତ ବଳବନ୍ତ ରାୟ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିଥିଲେ। ଚଳିତ ନିର୍ବାଚନରେ ସ୍ବାଧିନ ପ୍ରାର୍ଥୀ ଭାବେ ବିଧାୟକ ହିମାଂଶୁ ଶେଖର ସାହୁ ବିଜୟ ହାସଲ କରିଛନ୍ତି। ଏହା ପରେ ଅନେକ ସରପଞ୍ଚ ଓ ସମିତି ସଭ୍ୟ ବର୍ତ୍ତମାନ ବିଧାୟକ ହିମାଂଶୁଙ୍କ ଶିବିରରେ ରହିଛନ୍ତି। ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ଅନେକ ସମିତି ସଭ୍ୟମାନେ ଅଗଷ୍ଟ ୧୧ ତାରିଖରେ ତତ୍କାଳୀନ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଥିବା ପ୍ରଭାତ ବଳବନ୍ତରାୟଙ୍କ ବିରୋଧରେ ଅଧିକାଂଶ ସଭ୍ୟ ଅନାସ୍ଥା ପ୍ରସ୍ତାବ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଆଗତ କରିଥିଲେ। ପରେ ପୂର୍ବତନ ଅଧ୍ୟକ୍ଷ ଅଗଷ୍ଟ ୨୦ତାରିଖରେ ନିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଆଜି ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ଭାବେ ବିଜୟ ହାସଲ ପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଅଧ୍ୟକ୍ଷ ଧନ୍ୟବାଦ ଜଣାଇଛନ୍ତି। ବିଜୟ ହାସଲ ପରେ ଭାଜପା କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜାରକା ବଜାର ପରିକ୍ରମା କରିଥିଲେ। କର୍ମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।