ଟ୍ରାଫିକ୍‌ ନିୟମ ମାନିଲେ ମିଳିବ ଏମିତି ଉପହାର

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଥାନାରୁ ବାହାରି ଏସ୍‌ପି ଅଫିସ ଛକ ଦେଇ ଗାନ୍ଧୀଛକରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ସ୍ଥାନୀୟ ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲଙ୍କ ସମେତ ପୋଲିସ କର୍ମଚାରୀ, ସରକାରୀ ବାଳିକା ହାଇସ୍କୁଲ, ଜର୍ଜ ହାଇସ୍କୁଲର ଛାତ୍ରୀଛାତ୍ର ସାମିଲ ଥିଲେ। ଶୋଭାଯାତ୍ରା ଯିବା ବାଟରେ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ବାଇକ୍‌ ଚଲାଇବାବେଳେ ହେଲମେଟ୍‌ ପିନ୍ଧିବା, ବାଇକ୍‌ରେ ୩ଜଣ ନ ବସିବା, ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ନ ହେବା, ଟ୍ରାଫିକ୍‌ ନିୟମାବଳୀ ମାନିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ସେହିପରି ଯେଉଁମାନେ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଉଥିଲେ, ସେମାନଙ୍କୁ ଗୋଲାପ ଉପହାର ଦିଆଯାଇଥିଲା।