ଐତିହାସିକ ବାଣିଜ୍ୟ ଚୁକ୍ତି ପୂର୍ବରୁ ଇୟୁ ମୁଖ୍ୟଙ୍କ ବଡ଼ ବୟାନ, “ସଫଳ ଭାରତ ବିଶ୍ୱକୁ ରଖିବ ସ୍ଥିର”

ନୂଆଦିଲ୍ଲୀ ,୨୬ା୧: ୟୁରୋପୀୟ ସଂଘ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର ଲେୟେନ୍ ଭାରତର ଆର୍ଥିକ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ, ଏକ “ସଫଳ ଭାରତ” ବିଶ୍ୱକୁ ଅଧିକ ସ୍ଥିର, ସମୃଦ୍ଧ ଏବଂ ସୁରକ୍ଷିତ କରିଥାଏ। ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପୂର୍ବରୁ ତାଙ୍କର ଏହି ମନ୍ତବ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ।

ଭନ୍ ଡେର ଲେୟେନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ସୋସିଆଲ ମାଧ୍ୟମରେ କହିଛନ୍ତି ଯେ, ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ତାଙ୍କ ପାଇଁ ଏକ ଜୀବନବ୍ୟାପୀ ସମ୍ମାନ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଶିଖର ସମ୍ମିଳନୀରେ ଏହି ବହୁ ପ୍ରତିକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସମ୍ପର୍କରେ ଘୋଷଣା ହୋଇପାରେ। ଏହି ଚୁକ୍ତି ଦ୍ୱାରା ୨୦୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ବଜାର ସୃଷ୍ଟି ହେବ, ଯାହା ବିଶ୍ୱ ଜିଡିପିର ପ୍ରାୟ ଏକ ଚତୁର୍ଥାଂଶ।

ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ସହଭାଗୀ। ୨୦୨୩-୨୪ ଆର୍ଥିକ ବର୍ଷରେ ଉଭୟଙ୍କ ମଧ୍ୟରେ ପ୍ରାୟ ୧୩୫ ବିଲିୟନ ଡଲାରର ବାଣିଜ୍ୟ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଭାରତ ୟୁରୋପରୁ ଆମଦାନୀ ହେଉଥିବା ବିଳାସପୂର୍ଣ୍ଣ କାର୍ ଉପରେ ଶୁଳ୍କ କୋହଳ କରିବାକୁ ଯୋଜନା କରୁଛି। ବର୍ତ୍ତମାନ କାର୍ ଉପରେ ଥିବା ୧୧୦% ଶୁଳ୍କକୁ ୪୦% କୁ ହ୍ରାସ କରାଯିବ।

ପରବର୍ତ୍ତୀ ସମୟରେ ଏହାକୁ ୧୦% ପର୍ଯ୍ୟନ୍ତ କମାଯିବାର ସମ୍ଭାବନା ରହିଛି। ଯାହାଦ୍ୱାରା ମର୍ସିଡିଜ୍-ବେଞ୍ଜ୍, BMW ଏବଂ ଭୋକ୍ସୱାଗନ ଭଳି ଗାଡ଼ି ଭାରତୀୟ ବଜାରରେ ଶସ୍ତା ହେବ।