ମିଳିଲା ସଫଳତା: ରାଜ୍ୟସ୍ତରକୁ ମନୋନୀତ ହେଲେ ୩ ଛାତ୍ର

ମୋରଡ଼ା,୧୮।୯(ସ୍ମାରକ ମାଜୀ): ଜିଲାସ୍ତରୀୟ କବାଡି ଏବଂ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲା ମୋରଡ଼ା ଆଦର୍ଶ ବିଦ୍ୟାଳୟକୁ ସଫଳତା ମିଳିଛି। ବିଦ୍ୟାଳୟର ୩ଜଣ ଛାତ୍ର ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଛାତ୍ରମାନେ ହେଲେ ଏକାଦଶ ଶ୍ରେଣୀର କରଣ ଅର୍ଜୁନ ମହାନ୍ତ, ସପ୍ତମ ଶ୍ରେଣୀର ହିମାଂଶୁ ଶେଖର ଦାସ ଏବଂ ଷଷ୍ଠ ଶ୍ରେଣୀର ଦେବାଶିଷ ପାତ୍ର ।

ଏପରି କୃତୀତ୍ୱ ପାଇଁ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ଛାତ୍ରମାନେ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାତ୍ର ଏବଂ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଅନୁଯାୟୀ, ବିଶୋଇରେ ହୋଇଥିବା ଜିଲାସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେଇ ଉତ୍ତମ ଖେଳ ପ୍ରଦର୍ଶନ କରି ନଭେମ୍ବର ୧୩ରୁ ୧୭ ଯାଏ ସୁନ୍ଦରଗଡ଼ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।

ସେହିପରି ବାରିପଦାରେ ହୋଇଥିବା ଜିଲାସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ହିମାଂଶୁ ଶେଖର ଦାସ ଏବଂ ଦେବାଶିଷ ପାତ୍ର ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ସ୍ଥାନ ଅଧିକାର କରି ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।