ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କ ତଦନ୍ତ ରିପୋର୍ଟ ଦାଖଲ

କଟକ ଅଫିସ, ୯।୧୧: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଚିକିତ୍ସା ଅବହେଳା ନେଇ ଆଗତ ମାମଲାର ନ୍ୟାୟିକ ତଦନ୍ତ କରିବାକୁ ହାଇକୋର୍ଟ ଅବସରପ୍ରାପ୍ତ ଜିଲା ଜଜ୍‌ ଏ.ବି.ଏସ୍‌. ନାଇଡୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଜଷ୍ଟିସ ନାଇଡୁ ତଦନ୍ତ କରିଥିଲେ। ଏହାପରେ ସେ ସୋମବାର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଏ.କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ରେ ହେବ।
ସୂଚନାଯୋଗ୍ୟ, କରୋନା ଦ୍ୱିତୀୟ ଲହରବେଳେ ଭିମ୍‌ସାରରେ ଚିକିତ୍ସାଧୀନ ରୋଗୀଙ୍କୁ ବ୍ୟାପକ ଅବହେଳା କରାଯାଇଛି। ଫଳରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭିଯୋଗ ଆଣି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଜିଲା କେନ୍ଦବାହାଲ ଗ୍ରାମର ଜ୍ଞାନଦତ୍ତ ଚୌହ୍ବାନ ଗତ ମେ ୨୩ରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ତାଙ୍କ ସମ୍ପର୍କୀୟମାନେ କୋଭିଡ୍‌ କାଳରେ ଭିମ୍‌ସାରରେ ଉପଯୁକ୍ତ ଚିକିତ୍ସା ସେବା ନ ପାଇ ହଇରାଣ ହୋଇଥିବା ଦର୍ଶାଇ ସେ ୯ଟି ପୃଥକ ସତ୍ୟପାଠ ଦାଖଲ କରିଥିଲେ। ହାଇକୋର୍ଟ ଏହି ମାମଲାର ବିଚାର କରି ଗତ ଜୁଲାଇ ୭ରେ ସମ୍ବିଧାନର ଧାରା ୨୧ ଅନୁସାରେ ରୋଗୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।