ସୁଭଦ୍ରା ପୋର୍ଟାଲ: ୨୧ ଜୀବିତଙ୍କୁ ଦର୍ଶାଯାଇଛି ମୃତ

ସାକ୍ଷୀଗୋପାଳ,୧୩। ୮(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସୁଭଦ୍ରା ଯୋଜନାର ଏକ ବଡ଼ ବ୍ୟତିକ୍ରମ ସତ୍ୟବାଦୀ ବ୍ଲକରେ ଦେଖାଯାଇଛି। ଜଣେ ମହିଳା ହିତାଧିକାରୀ ଜୀବିତ ଥାଉ ଥାଉ ତାଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯିବା କାରଣରୁ ସେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନ ଥିବା ମହିଳା ହିତାଧିକାରୀ ଅଭିଯୋଗ ଆଣିଛନ୍ତି।
ସତ୍ୟବାଦୀ ବ୍ଲକ ନୂଆସୋମେଶ୍ୱରପୁର ପଞ୍ଚାୟତର ସୁଭଦ୍ରା ହିତାଧିକାରୀ ପ୍ରତିମା ମିଶ୍ର ସ୍ବାମୀ ଗଙ୍ଗାଧର ମିଶ୍ର। ୧୯୮୮ରେ ଜନ୍ମ। ସୁଭଦ୍ରାର ପ୍ରଥମ କିସ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାକ୍ଷୀଗୋପାଳ ବ୍ରାଞ୍ଚରେ ଥିବା ଆକାଉଣ୍ଟ ଜରିଆରେ ପାଇଥିଲେ। ଦ୍ୱିତୀୟ କିସ୍ତି ସରକାର ଛାଡ଼ିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ପରେ ଏ ସମ୍ପର୍କରେ ଜନସେବା କେନ୍ଦ୍ରରେ ବୁଝାଶୁଝା କରିଥିଲେ। ସେଠାରେ ତାଙ୍କୁ ମୃତ ଦର୍ଶାଯାଇ ଉକ୍ତ ଯୋଜନାରୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ପାଇଲେ। ଏ ସମ୍ପର୍କରେ ସେ ବ୍ଲକରେ ଥିବା ସୁଭଦ୍ରା ହେଲ୍ପଡେସ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ ପ୍ରତି କୌଣସି ପ୍ରତିକ୍ରିୟା ଏଯାଏଁ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏପଟେ ଗତ ଅକ୍ଷୟ ତୃତୀୟା ଦିନ ସତ୍ୟବାଦୀରେ ଅନୁଷ୍ଠିତ ଅଖିମୁଠି ଅନୁକୂଳ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କୁ ସେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ମିଳିସାରିଥିବା ବେଳେ ସେ ଉକ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି। ଏହି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ମହିଳା ଓ ଶିଶୁ ବିକାଶ ଅଧିକାରୀ ରାଜଲକ୍ଷ୍ମୀ ଦାଶ କହିଛନ୍ତି, ପ୍ରତିମା ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଘଟଣାର ସତ୍ୟତା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛୁ। ଅନ୍ୟପଟେ ସୁଭଦ୍ରା ଯୋଜନାରେ ସତ୍ୟବାଦୀରେ ଖାଲି ପ୍ରତିମା ନୁହନ୍ତି ଆଉ ୩୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇସାରିବା ପରେ ସେମାନଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯାଇଛି। ସେଥିମଧ୍ୟରୁ ଆମ ବିଭାଗ ପକ୍ଷରୁ ଆମେ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରିଥିଲୁ। ସମୁଦାୟ ୩୧ ମୃତ ହିତାଧିକାରୀଙ୍କ ମଧ୍ୟରେ ଏବେ ୨୧ ଜଣ ଜୀବିତ ରହିଥିବା ବେଳେ ୧୦ ଜଣ ହିତାଧିକାରୀଙ୍କ ପ୍ରକୃତ ମୃତ୍ୟୁ ହୋଇଛି ବୋଲି ମହିଳା ଓ ଶିଶୁ ବିକାଶ ଅଧିକାରୀ ଦାଶ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।