କୋରାପୁଟ,୧୦।୧୧(ଅମିତାଭ ବେହେରା) ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟର ଛାତ୍ରୀଛାତ୍ର ଇତିହାସ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ସମାଧାନ ନହେବାରୁ ସୋମବାର ଜାତୀୟ ରାଜପଥ ଉପରେ ୬ କିଲୋମିଟର ଚାଲି ପହଞ୍ଚିଥିଲେ ଜିଲାପାଳଙ୍କ କାର୍ଯ୍ୟାଳୟ। ପାଠପଢ଼ାକୁ ନେଇ କୋରାପୁଟ ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଗତ ଅଗଷ୍ଟ ମାସରୁ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ବିଦ୍ୟାଳୟରୁ ୬ କିଲୋମିଟର କୋରାପୁଟ ଜିଲାପାଳଙ୍କୁ ଅଭିଯୋଗ ଶୁଣାଇବା ଛାତ୍ରୀଛାତ୍ର ଚରମ ନିଷ୍ପତ୍ତି ନେଇଛନ୍ତି। ଶହେରୁ ଉଦ୍ଧର୍ବ ଛାତ୍ରୀଛାତ୍ର ବିଦ୍ୟାଳୟ ପ୍ରିନସିପାଲ ସହ ଆଲୋଚନା ପରେ ଚାଲିଚାଲି ବାହାରିଥିଲେ। ପ୍ରାୟ ୬ କିଲୋମିଟର ୨୬ ନଂ ଜାତୀୟ ରାଜପଥ ଉପରେ ଚାଲିଚାଲି ଜିଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲ ଓ କୋରାପୁଟ ପୋଲିସ ଏସଡ଼ିପିଓ ସଞ୍ଜୟ କୁମାର ମଣ୍ଡଳଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାସୁଝା କରି ନୟାନ୍ତ ହୋଇଯାଇଥିଲେ। ହେଲେ ଛାତ୍ରୀଛାତ୍ରଙ୍କ ଗୋଟିଏ ଜିଦ ଜିଲାପାଳଙ୍କୁ ଅଭିଯୋଗ କଲେ ସମସ୍ୟାର ସମାଧାନ ହେବ । ଚାଲି ଚାଲି ୬ କିଲୋମିଟର ଜିଲାପାଳ କାର୍ଯ୍ୟଳୟ ପହଞ୍ଚିବା ପରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇଙ୍କ ସହ ଛାତ୍ରୀଛାତ୍ର ଆଲୋଚନା କରିଥିଲେ। ଇତିହାସ ଶିକ୍ଷୟିତ୍ରୀଙ୍କ ପାଠପଢ଼ା ଶୈଳୀ ଓ ଦୁର୍ବ୍ୟବହାର ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ଉପରେ ଏକାନ୍ତରେ ଅବଗତି କରାଇଥିଲେ। ଅଭିଯୋଗ ଶୁଣିବା ପରେ ବିଭାଗୀୟ ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବାହାର କରିଥିବା ସୂଚନା ଦେଇଛନ୍ତି। ଏବଂ ଖୁବଶୀଘ୍ର ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ଏବଂ ସେପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଦୁଇ ଅଧିକାରୀ ନିୟମିତ ବିଦ୍ୟାଳୟ ଯିବା ସହ ପିଲାଙ୍କୁ ପାଠ ପଢ଼ାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ପ୍ରତିଶ୍ରୁତି ପାଇବା ପରେ ଶାନ୍ତ ପଡ଼ିଥିଲେ ଛାତ୍ରୀଛାତ୍ର। ଛାତ୍ରୀଛାତ୍ରଙ୍କୁ ଏକ ବସ୍ ଯୋଗେ ବିଦ୍ୟାଳୟ ପଠାଇବାକୁ ସମସ୍ତ ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଥିଲା। ତେବେ ପ୍ରକୃତରେ ଛାତ୍ରୀଛାତ୍ରଙ୍କ ସମସ୍ୟା ଦୂର ହେବ ନା କେବଳ ପ୍ରତିଶ୍ରୁତିରେ ରହିବ ତାହା ଦେଖିବାକୁ ରହିଲା।