କର୍ଲାମୁଣ୍ଡା,୭ା୮(ପ୍ରଦୀପ କୁମାର ସାହୁ):କମ୍ ଛାତ୍ରୀଛାତ୍ର ଥିବା କାରଣରୁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨୪ ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର ୨୦୨୦ରେ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ର ଦୂରଦୂରାନ୍ତକୁ ଯାଇ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ତେରେକେଲା, କେର୍ନାପଲା, କୁଶୁର୍ଲା ହଜାରିପଡା, ଦେଓଗାଁ, ତେରେସିଙ୍ଗା ଫଟାମୁଣ୍ଡା, ସରଗୁଲ ସରଦାପୁର, ଭାଲୁପିଆ ବୁଢ଼ୀମୁଣ୍ଡା, ରିଷିଡା ମାତୃପୁରୀ, ରାଜପୁର ସାଲେପାଲି, ବହଳମୁଣ୍ଡା ଆଦି ଗାଁର ଛୋଟ ପିଲାମାନେ ବିପଦପୂର୍ଣ୍ଣ ରାସ୍ତା ଦେଇ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ବ୍ଲକର କୁଶୁର୍ଲା ବିଦ୍ୟାଳୟରୁ ମୁଖ୍ୟ ରାସ୍ତା ଜାତୀୟ ରାଜପଥ ଦେଇ ପ୍ରାୟ ୨ କିଲୋମିଟର ଦୂରରେ କୁଶୁର୍ଲାର ହଜାରିପଡା ଓ କଲୋନୀପଡା ପଡିଥାଏ। ଏହି ଦୁଇ ପଡାବାସୀଙ୍କ ପାଇଁ ୧୯୮୩ ମସିହାରେ ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ତେବେ ପୂର୍ବ ସରକାର କମ୍ ଛାତ୍ରୀଛାତ୍ର ଥିବା କାରଣରୁ ଏହାକୁ ବନ୍ଦ କରିଦେଲେ। ଫଳରେ ଏହି ଦୁଇ ପଡାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପଢୁଥିବା କୁନି ଛାତ୍ରୀଛାତ୍ର ୫୯ ନମ୍ବର ଜାତୀୟ ରାଜପଥ ଓ ନୀଳକଣ୍ଠେଶ୍ୱର ସାଗର ହିଡ ଦେଇ ବିପଦପୂର୍ଣ୍ଣ ଭାବେ କୁଶୁର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ହଜାରିପଡାର ଯୁବ ସାମାଜିକ କର୍ମୀ ସନତ କୁମାର ସାହୁ, ତ୍ରିଲୋଚନ ସାହୁ, ରୋହିତ ନାଗ ପ୍ରକାଶ କରିଛନ୍ତି। ଏଣୁ ପୁଣି ଥରେ ବିଦ୍ୟାଳୟ ଖୋଲାଯିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏ ନେଇ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡାଙ୍କୁ ପଚାରିବାରୁ ଏ ବିଷୟରେ ଜିଲା ପ୍ରଶାସନ ସହିତ ଆଲୋଚନା କରିବୁ ବୋଲି କହିଛନ୍ତି।