ଲୋକଙ୍କୁ ସଚେତନ କରିବା ସହ ନିଜେ ବୃକ୍ଷରୋପଣ କଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆମେ ବୃକ୍ଷ ରୋପଣ କରିବୁ ଏବଂ ଗାଁରେ ଅଭିଭାବକ ଓ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ କରାଇବୁ । ଗଛ ବଞ୍ଚିଲେ ଆମେ ବଞ୍ଚିପାରିବା। ଏଭଳି ବାର୍ତ୍ତା ଦେବା ସହ ନିଜେ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇ ଅନ୍ୟଙ୍କୁ ସଚେତନ କରିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶର ବିଜ୍ଞାନ ଛାତ୍ରୀଛାତ୍ର। ବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକଙ୍କ ନେତୃତ୍ୱରେ ’ଏକ ପେଡ ମା’ କେ ନାମ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ପରିସର ମଧ୍ୟରେ ଲିଚୁ, ଆମ୍ବ, ପଣସ, ନିମ, ଯାମି ଭଳି ଅନେକ ବୃକ୍ଷ ସହ ଔଷଧୀୟ ବୃକ୍ଷରୋପଣ କରିଛନ୍ତି। ସେମାନଙ୍କୁ ବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ତଥା ସତ୍ୟଜିତ ଧାମୁଡ଼ିଆ, ଶ୍ରୀନିତା ସୋନାଲିନ, ସମ୍ବିତ ସତ୍ୟପ୍ରକାଶ, ହରପ୍ରିୟା ବେହେରା, ଅଜୟ ଗୌଡ଼, ଶର୍ମିଷ୍ଠା ପ୍ରଧାନ, ରମାକାନ୍ତ ପାତ୍ର,ସିସିଏ ରିଙ୍କି ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସହଯୋଗ କରିଥିଲେ।