Categories: Home Left

ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ତିହିଡି଼,୧୬।୧୨(ସଞ୍ଜିତ ବଳ):ତିହିଡି଼ ବ୍ଲକ ବାରସର ପଞ୍ଚାୟତ ଅଧୀନ ତଳଦପା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ର ଓ ଅଭିଭାବକମାନେ ମଙ୍ଗଳବାର ପୂର୍ବାହ୍ନରେ ତିହିଡି଼ସ୍ଥିତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । ସ୍କୁଲରେ ବେଆଇନ ଭାବେ ନିଯୁକ୍ତ ପାଚିକାଙ୍କୁ ବହିଷ୍କାର, ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସ୍କୁଲରେ ଶିକ୍ଷାଦାନର ସୁପରିଚାଳନା ପାଇଁ ଶିକ୍ଷକ ନିଯୁକ୍ତି ଦାବିରେ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି । ପ୍ରକାଶ ଯେ ତଳଦପା ପ୍ରାଥମିକ ସ୍କୁଲରେ ନିଯୁକ୍ତି ପାଇଥିବା ପାଚିକାଙ୍କୁ କେତେକ ଗ୍ରାମବାସୀ ବିରୋଧ କରି ଆସୁଛନ୍ତିl ସ୍କୁଲର ପ୍ରଧାନଶିକ୍ଷକ ତାଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିବା ସେମାନେ ବିଇଓଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ସେହି ପାଚିକାଙ୍କ ବହିଷ୍କାର କରିବାକୁ କିଛିଦିନ ପୂର୍ବେ କେତେକ ଗ୍ରାମବାସୀ ଦାବି କରିଥିଲେ। ପରେ ଏହି ଘଟଣାକୁ କେନ୍ଦ୍ରକରି ସ୍କୁଲରେ ପ୍ରଧାନଶିକ୍ଷକ ଓ କେତେକ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ l ଏ ସମ୍ପର୍କରେ ଉଭୟ ପକ୍ଷରୁ ପୀରହାଟ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ତେବେ ଗଣ୍ଡଗୋଳ ହେବା ପରଠାରୁ ସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ସ୍କୁଲକୁ ଯାଉ ନଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ଜଣାଯାଇଛି । ତେବେ ସ୍କୁଲକୁ ଶୈକ୍ଷିକ ବାତାବରଣ ଫେରି ନଥିବା ବେଳେ ବିଇଓଙ୍କ ସାମ୍ନାରେ ଦିଆଯାଇଥିବା ଧାରଣା ପରିସ୍ଥିତିକୁ ଜଟିଳ କରିଛି l

 

Dharitri – The Largest & Most Trusted Odia Daily