ଭଞ୍ଜନଗର,୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ଆଶ୍ରମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସହକାରୀ ଜିଲା ମଙ୍ଗଳ ଅଧିକାରୀ, ଭଞ୍ଜନଗର ଅମୀୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ରୁଢାପଦର ପଞ୍ଚାୟତ ସରପଞ୍ଚ ବିନୋଦ କୁମାର ଜାନି, ଲିଙ୍ଗରାଜ ମିଶ୍ର ଅଧ୍ୟକ୍ଷ, ଗ୍ରାମ ବିକାଶ ବିଦ୍ୟାବିହାର, ଗାୟାଗଣ୍ଡା, ରୁଢାପଦର କ୍ଲଷ୍ଟରସି.ଆର୍.ସି.ସି ଶୈଳେନ୍ଦ୍ର କୁମାର ସାହୁ, ଅନୀତା ରାଣୀ ଦାସ, ପ୍ରଧାନଶିକ୍ଷୟିତ୍ରୀ, ବଡ଼ଗୁଣ୍ଡିରିବାଡ଼ି ଉଚ୍ଚ ବିଦ୍ୟାଳୟ, ସୁଦର୍ଶନ ମଲିକ, ଏସ୍ଏମ୍ସି ସଭାପତି, ରୁଢାପଦର ଆଶ୍ରମ ବିଦ୍ୟାଳୟ, ଆଦିତ୍ୟ କୁମାର ପରିଡ଼ା, ପ୍ରଧାନଶିକ୍ଷକ, ପ୍ରାଥମିକ ବିଦ୍ୟାଳୟ,ଗାୟାଗଣ୍ଡା କଲୋନୀ ଓ ମୁଖ୍ୟବକ୍ତା ପଦ୍ମଚରଣ ପ୍ରଧାନ, ପ୍ରାକ୍ତନ ପ୍ରଧାନଶିକ୍ଷକ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ଛାତ୍ରୀ ଦୀପା, ତୁଳସୀ, ଶାଳିନୀ, ଝିଆନୀ ଓ ରାଇମନୀ ମଣ୍ଡଳ ସମେତ ଅନ୍ୟ ଛାତ୍ରୀମାନେ ଏକ ଚିତ୍ତାକର୍ଷକ ସାଗତ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଆଶ୍ରମର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଆଶ୍ରମରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ସୂଚାରୁରୂପେ ଶିକ୍ଷାଦାନ କରିବା ସହିତ ୨ଟି ହଷ୍ଟେଲ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ରହିଥିବା କଥା ପ୍ରଧାନଶିକ୍ଷକ ପ୍ରକାଶ କରିବା ସହିତ ଏହାର ପ୍ରତିକାର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ମୁଖ୍ୟ ଅତିଥି ସହକାରୀ ଜଲ୍ଲା ମଙ୍ଗଳ ଅଧିକାରୀ ତାଙ୍କ ବକ୍ତବ୍ୟରେ ଦେଶର ସର୍ବୋଚ୍ଚ ସମ୍ମାନସ୍ପଦ ରାଷ୍ଟ୍ରପତି ଆସନରେ ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି କିପରି ନିଜର ଦକ୍ଷତା ବଳରେ ଆସୀନ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହିତ ଛାତ୍ରୀଛାତ୍ର ମଧ୍ୟ ନିଷ୍ଠା ଓ ସାଧନା ବଳରେ ନିଜର ଶ୍ରେଷ୍ଠତା ପ୍ରକାଶ କରିପାରିବେ ବୋଲି ପ୍ରେରଣା ଦେଇଥିଲେ।
ମୁଖ୍ୟବକ୍ତା ଅଭିଭାଷଣ କ୍ରମେ ପିଲାଙ୍କ ମଧ୍ୟରେ ମାନବିକ ଗୁଣ ବିକାଶ ହେବା ପାଇଁ ‘ମୁକ୍ତା’ ଶୀର୍ଷକ ଗଳ୍ପ ମାଧ୍ୟମରେ ପିଲାଙ୍କୁ ବୁଝାଇଥିଲେ। ମଞ୍ଚାସୀନ ଅନ୍ୟ ଅତିଥିମାନେ ପିଲାଙ୍କୁ ଉପଦେଶାତ୍ମକ ଉଦ୍ବୋଧନ ଦେଇଥିଲେ। କ୍ରୀଡ଼ା ପ୍ରତିଯୋଗିତାର ବାଳକ ବିଭାଗରେ ଝିମା ଶବର ଓ ବାଳିକା ବିଭାଗରେ ଇନ୍ଦୁମତୀ ମଳିକ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଆଶ୍ରମର ୨୦୨୫-୨୬ ଶିକ୍ଷା ବର୍ଷର ସର୍ବୋତ୍ତମ ଛାତ୍ର ଚନ୍ଦନ ଚୌଧୁରୀ ଓ ଛାତ୍ରୀ ରାଇମନୀ ମଣ୍ଡଳ ଅତିଥିମାନଙ୍କ ଦାରା ସମ୍ମାନିତ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଲିଣ୍ଟନ ଦଳବେହେରା, ସନ୍ତୋଷ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ଜୟନ୍ତୀ ପାତ୍ର ଓ ମଧୁସ୍ମିତା ପରିଡ଼ା କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଦିତ୍ୟ ପରିଡ଼ା ସାର୍ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହିତ ସଂଯୋଜନା କରିଥିଲେ। ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।