ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩ ଦିନ ଧରି ବିଦ୍ୟାମନ୍ଦିର ପ୍ରାନ୍ତରରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ସମାଜସେବୀ ଦିଲ୍ଲୀପ କୁମାର ବେହେରା, ପରିଚାଳନା କମିଟିର ଉପସଭାପତି ସ୍ବରୂପ ଚନ୍ଦ୍ର ମହାନ୍ତି ଯୋଗ ଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଉତ୍ସବର ଶୁଭାରମ୍ଭ କରିଥିଲେ। ଶିଶୁପ୍ରାରମ୍ଭଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇ ବିଭିନ୍ନ ପ୍ରକାରର କ୍ରୀଡ଼ା କୌଶଳ ପ୍ରଦର୍ଶିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବେ ଜାତୀୟସ୍ତରର କରାଟେ ଖେଳାଳି ଭାଲେନା ଭାଲେଣ୍ଟିନା, ଅଲିସା ସୁବୁଦ୍ଧି, ମୁଖ୍ୟ ଅତିଥି ମଞ୍ଜୁଲତା କହଁର, ସମ୍ମାନିତ ଅତିଥି ପରିଚାଳନା କମିଟିର ସମ୍ପାଦକ ଲକ୍ଷ୍ମଣ ଜେନା, ପ୍ରତିଷ୍ଠାତା ଅଜୟ ଗୁରୁଜୀ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ର ସୁନାଗରିକ ହେବା ପାଇଁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାମନ୍ଦିରର ସିନିୟର ଏବଂ ସୁପର ସିନିୟର ବିଭାଗ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ପ୍ରତିଯୋଗିତା ୨୦୨୫-୨୬ର ଚାମ୍ପିଅନ ଅଂଶୁମାନ ସାହୁ, ବାର୍ଷିକ ବିଜ୍ଞାନ ମେଳା ୨୦୨୫-୨୬ର ଶ୍ରେଷ୍ଠ ପ୍ରକଳ୍ପ ପାଇଁ ଆୟୁଷ୍ମାନ ଦାଶ ଏବଂ ଅର୍ପିତା ଭାରତୀ ସାମନ୍ତରାୟ ପୁରସ୍କୃତ ହୋଇଥିଲେ। ବରିଷ୍ଠ ଗୁରୁଜୀ ହରିଶ୍ଚନ୍ଦ୍ର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦୀପ୍ତିମୟୀ ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ଗୁରୁମାଗୁରୁଜୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପାଦନ ହୋଇଥିଲା।