ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ତାଙ୍କୁ ସୁଟ୍‌କେସ୍‌ରେ ବନ୍ଦ କରି ଛାତ୍ରାବାସକୁ ନେବାକୁ ଚେଷ୍ଟା କରିଥିଲେ। ତେବେ ଛାତ୍ରାବାସରେ ନିୟୋଜିତ ସୁରକ୍ଷା କର୍ମୀ ସୁଟ୍‌କେସ୍‌ ଯାଞ୍ଚ କରି ଏହା ମଧ୍ୟରେ ଜଣେ ଝିଅ ଥିବାର ଦେଖିବାକୁ ପାଇଥିଲେ।

ଛାତ୍ରାବାସରେ ନିୟୋଜିତ ଜଣେ ସୁରକ୍ଷା କର୍ମୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନିଜ ସୁଟ୍‌କେସ୍‌ରେ ଜଣେ ଝିଅଙ୍କୁ ରଖି ଛାତ୍ରାବାସ ନେଇ ଯାଉଥିଲେ। ଏହି ସମୟରେ ହଷ୍ଟେଲ ଗେଟ୍‌ ନିକଟରେ ସୁଟ୍‌କେସ୍‌ଟି କୌଣସି ଜିନିଷରେ ମାଡ଼ ହୋଇଯାଇଥିଲା, ଫଳରେ ସୁଟ୍‌କେସ୍‌ ଭିତରେ ଥିବା ଝିଅ ଜଣକ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଛାତ୍ରାବାସରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସନ୍ଦେହ ହୋଇଥିଲା। ଫଳରେ ସେଠାରେ ଉକ୍ତ ସୁଟ୍‌କେସ୍‌ର ଯାଞ୍ଚ କରାଯାଇଥିଲା। ସୁଟ୍‌କେସ୍‌ ଖୋଲିବା ପରେ ଏହା ମଧ୍ୟରେ ଜଣେ ଛାତ୍ରୀ ବସିରହିଥିବାର ଦେଖିବାକୁ
ମିଳିଥିଲା। ଏହା ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ଓ ଅନ୍ୟ ଛାତ୍ରମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଛାତ୍ର ଏବଂ ସୁରକ୍ଷା କର୍ମୀମାନେ ଏହି ଦୃଶ୍ୟର ଭିଡିଓ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଟ୍‌କେସ୍‌ରୁ ବାହାରିଥିବା ଝିଅ ଜଣକ ସୁଟ୍‌କେସ୍‌ ନେଇ ଯାଉଥିବା ଛାତ୍ରଙ୍କ ଗର୍ଲଫ୍ରେଣ୍ଡ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେବେ ଉକ୍ତ ଝିଅ ଜଣକ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ଛାତ୍ରୀ କି ନୁହଁନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଘଟଣାକୁ ନେଇ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପିଆର୍‌ଓ କହିଛନ୍ତି, ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଦୁଷ୍ଟାମି ଓ ମଜାମସ୍ତିରେ ଲିପ୍ତ ରହୁଥିବାରୁ, କିଛିଦିନ ତଳେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଛାତ୍ରାବାସର ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ତେଣୁ ଏବେ ଏହି ଘଟଣା ସାମ୍‌ନାକୁ ଆସିଛି। କଲେଜ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ, ତେଣୁ ଏହା କୌଣସି ବଡ଼ ଘଟଣା ନୁହେଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ।