ଛାତ୍ର, ବିଦ୍ୟାଳୟ ରାତ୍ର ଜଗୁଆଳିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ….

ଖଜୁରିପଡ଼ା,୧୧ା୮( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନାରେ ରବିବାର ଓ ସୋମବାର ୨ ଦିନରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୋମବାର ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ରାତ୍ର ଜଗୁଆଳି ଓ ସୋମବାର
ବଲସକୁମ୍ପା ପଞ୍ଚାୟତ ଅଧୀନରେ ଥିବା ବାରିକୁମ୍ପା ଗ୍ରାମର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ସାଢ଼େ ୯ଟାରେ ଆଦର୍ଶ ବିଦ୍ୟାଳୟ ରାତ୍ର ଜଗୁଆଳି ବିଦ୍ୟାଧର ସାଣ୍ଢ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ମୁଣ୍ଡବ୍ୟଥା ସହିତ ଛାତିରେ ଯନ୍ତ୍ରଣା ହେବାରୁ ଶିକ୍ଷୟିତ୍ରୀ ସୁଲୋଚନା ମଲ୍ଲିକ ଆମ୍ବୁଲାନ୍ସ ଡାକିଥିଲେ। ଆମ୍ବୁଲାନ୍ସ ଅନ୍ୟତ୍ର ଯାଇଥିବାରୁ ବିଦ୍ୟାଧରଙ୍କୁ ସେ ନିଜ ସ୍କୁଟିରେ ବସାଇ ଖଜୁରିପଡ଼ା ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ବିଦ୍ୟାଧରଙ୍କୁ ଡାକ୍ତର ଫୁଲବାଣୀ ମେଡିକାଲ ରେଫର କଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଥାନାରେ ନଂ.୧୩/୨୫ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ସେହିପରି ବଲସକୁମ୍ପା ପଞ୍ଚାୟତ ଅଧୀନରେ ଥିବା ବାରିକୁମ୍ପା ଗ୍ରାମର ବାସୁଦେବ ଜାନିଙ୍କ ୧୪ ବର୍ଷୀୟ ପୁଅ ବୈଲଚନ ଜାନି ସାମାନ୍ୟ ଅସୁସ୍ଥ ହୋଇଥିଲେ। ତାଙ୍କ ପେଟ ମୁଣ୍ଡ ବ୍ୟଥା ହେବାରୁ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ବୈଲଚନଙ୍କ ମୃତ୍ୟୁ ହୋଇଛି। ଏ ନେଇ ଥାନାରେ ନଂ.୧୨/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବୈଲଚନ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ଜଣେ ମିଷ୍ଟଭାଷୀ ଓ ମେଲାପି ଛାତ୍ର ଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଦିଗାଲ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।