Women use their hands to protect themselves from sexual abuse.Detain rape, sexual abuse , human trafficking, domestic violence rape.
କେନ୍ଦୁଝର,୪ା୨(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଭଗାମୁଣ୍ଡାରେ ଥିବା ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କ ପ୍ରତି ନିର୍ଯାତନା ହେଉଥିବା ନେଇ ଶନିବାର ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହଥିବା ଜଣେ ୬ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ୬୦ ବର୍ଷ ବୟସ୍କ ରୋଷେୟା ଗିରଫ ହୋଇଥିବା ବେଳେ ଆଜି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ଅନ୍ୟ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୀଡ଼ିତାଙ୍କୁ କିପରି ଆଇନ ଗତ ତଥା ଆର୍ଥିକ ନ୍ୟାୟ ମିଳିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁଥିବା ବେଳେ ପରିବାର ଲୋକେ ଘଟଣାର ୩ ଦିନ ପରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପିଲାଟିକୁ ଦେଖିବାକୁ ଯାଇଥିବା ବେଳେ ଦେହରେ କ୍ଷତ ଓ ଚାଲି ପାରୁ ନ ଥିଲା। ଏଣୁ ପଚାରିବା ପରେ ସବୁ କଥା କହିଥିଲା ବୋଲି ପରିବାର ଲୋକେ କହିଛନ୍ତି। ଘଟଣାକୁ ଚପାଇବାକୁ ସ୍କୁଲ ପକ୍ଷରୁ ଉଦ୍ୟମ ହୋଇଥିଲା ଏବଂ ଛାତ୍ରୀଙ୍କୁ ଧମକଚମକ କରାଯାଇଥିଲା ବୋଲି ପରିବାର ଲୋକ ଗୁରୁତର ଅଭିଯୋଗ କରି ସ୍କୁଲ ମାଲିକଙ୍କୁ ଗିରଫ ଦାବି କରିଛନ୍ତି।
ଏନେଇ ହରିଚନ୍ଦନପୁର ଥାନା ଅଧିକାରିଣୀ ଦେବକୀ ନାୟକ କହିଛନ୍ତି, ଉକ୍ତ ଘଟଣାରେ ସ୍କୁଲ ମାଲିକଙ୍କ ସ୍ତ୍ରୀ ତଥା ହଷ୍ଟେଲ ଓ୍ବାର୍ଡେନ ତଥା ଶିକ୍ଷୟିତ୍ରୀ ସୁମିତ୍ରା ମହାନ୍ତଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ହଷ୍ଟେଲରେ ବହୁ ଛାତ୍ରୀଙ୍କୁ ଏଭଳି ନିର୍ଯାତନା ଦିଆଯାଇ ଆସୁଥିଲା। ତେବେ ବଦ୍ନାମ ହେବା ଭୟରେ ଓ କାର୍ଯ୍ୟାନୁଷ୍ଠାନ ଡରରେ କେହି ମୁହଁ ଖୋଲୁ ନ ଥିଲେ ବୋଲି ନିର୍ଯାତିତାଙ୍କ ସମ୍ପର୍କୀୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଣୁ ବିଦ୍ୟାଳୟର ମାଲିକଙ୍କୁ ଗିରଫ କରିବାକୁ ଦାବି କରି ଆଜି ଛାତ୍ରୀଙ୍କ ପରିବାର ଲୋକେ ଏସ୍ପିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ। ସେହିପରି ଏହି ଘଟଣାରେ ପୋଲିସର ଆଭିମୁଖ୍ୟ ଠିକ୍ ନ ଥିବାରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆବାସିକ ପାଠପଢ଼ା ବ୍ୟବସ୍ଥା ରହିଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟଟି ଚାଲିଆସୁଥିଲା। ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ନ ଥିବା ବେଳେ ପାଚେରି ତଥା ଅନ୍ୟ ସୁବିଧା ନାହିଁ ବୋଲି ଅଭିଯୋଗ କରିବାକୁ ଆସିଥିବା ଲୋକମାନେ କହିଛନ୍ତି। ସେହିପରି ବିଦ୍ୟାଳୟର ଅନୁମତିପତ୍ର ଅଛି କି ନାହିଁ ଏହାର ତଦନ୍ତ କରିବା ସହ ଏନେଇ ଶିକ୍ଷା ବିଭାଗର ଭୂମିକାକୁ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।