ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ

କୋଲକାତା, ୨୦।୭ : ପଶ୍ଚିମବଙ୍ଗରେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକୋ ଓ ପୋଡ଼ାଜଳା କରିଥିଲେ। ହିଂସାତ୍ମକ ପ୍ରତିବାଦ ଫଳରେ ରବିବାର ଅପରାହ୍ନରେ କୋଲକାତାରୁ ସିଲିଗୁଡ଼ିକୁ ସଂଯୋଗ କରୁଥିବା ୩୧ ନମ୍ବର ଜାତୀୟ ରାଜପଥ ରଣକ୍ଷେତ୍ରରେ ପରିଣତ ହୋଇଥିଲା। କୋଲକାତାର ଉତ୍ତରରେ ୫୦୦ କିଲୋମିଟର ଦୂର ଚୋପ୍ରାଠାରେ ଏହି ଘଟଣା ଘଟିଛି। ବିକ୍ଷୋଭ ସ୍ଥଳରେ ପୋଲିସ-ଜନତା ଧସ୍ତାଧସ୍ତି ହୋଇଥିଲେ। ବିକ୍ଷୋଭକାରୀ ଧନୁତୀରରେ ପୋଲିସକୁ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସକୁ ଲାଠିଚାଳନା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା। ପୀଡ଼ିତା ନିକଟରେ ଦଶମ ବୋର୍ଡ ପରୀକ୍ଷାରେ ପାସ୍‌ କରିଥିଲେ। ଗତ ରାତିରୁ ସେ ନିଖୋଜ ଥିଲେ। ଖୋଜାଖୋଜି ପରେ ଏକ ଗଛମୂଳରୁ ପୀଡ଼ିତାଙ୍କ ମୃତଦେହ ମିଳିଥିଲା। ଶବବ୍ୟବଚ୍ଛେଦ ରିପୋର୍ଟରୁ ବିଷକ୍ରିୟା ଯୋଗୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଯୌନ ଉତ୍ପୀଡ଼ନ କିମ୍ବା ମାଡ଼ର କୌଣସି ଚିହ୍ନବର୍ଣ୍ଣ ନ ଥିବା ପୋଲିସ କହିଛି।