ଛାତ୍ରୀ ଅସଦାଚରଣ ମାମଲାର ରାୟ ପ୍ରକାଶ: ପ୍ରଧାନଶିକ୍ଷକଙ୍କୁ ମିଳିଲା…

ଭବାନୀପାଟଣା, ୧୭।୧୧: (ଉତ୍ତମ କୁମାର ଦାଶ): ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ଥାନା ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର। ଗତ ସେପ୍ଟେମ୍ବର ୨ରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ନାମରେ ଜୁନାଗଡ଼ ଥାନାରେ ପୋକ୍‌ସୋ ଆକ୍ଟରେ ଏକ ମାମଲା (ନଂ.୫୭୭/୨୫) ରୁଜୁ ହୋଇଥିଲା। ଏହାପରେ ଜୁନାଗଡ଼ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଶିକ୍ଷାବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ସୋମବାର ଭବାନୀପାଟଣାସ୍ଥିତ ଜିଲା ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ରାଜୀବ ଲୋଚନ ସାହୁ ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ପ୍ରଧାନଶିକ୍ଷକ ମେହେରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରଧାନଶିକ୍ଷକ ମେହେରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟଦେବ ସୁନାନୀ ମାମଲା ପରିଚାଳନା କରିଥିଲେ। ଅନ୍ୟପକ୍ଷରେ, ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ ସେତେବେଳେ ଆଉ ଏକ ଏତଲା ଦେଇଥିଲେ। ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ୍‌ ମେହେର ମିଶି ସ୍କୁଲର ଛୋଟ ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ତାଙ୍କ ସ୍ବାମୀଙ୍କୁ ଫସାଇଥିବା ଦର୍ଶାଇଥିଲେ। ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଲା (ନଂ.୫୮୦/୨୫) ରୁଜୁ କରିଥିଲା। ହେଲେ ଘଟଣାର ଅଢେଇମାସ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଶିକ୍ଷକଙ୍କ ଉପରେ ପୋଲିସ କି ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। କାହା ଚାପରେ ଜୁନାଗଡ଼ ପୋଲିସ ଉପରୋକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କୁ ପଚାରିବାରୁ ଉପରୋକ୍ତ ୩ ଶିକ୍ଷକ କୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ସେମାନଙ୍କୁ ଗିରଫ କରାଯାଇ ନ ଥିଲା ବୋଲି କହିଥିଲେ।

 

Dharitri – The Largest & Most Trusted Odia Daily